କୋଲ୍କାତା: ବାଙ୍କୁଡ଼ା ପର୍ଯ୍ୟଟନକାଳୀନ ହୋଟେଲ୍ ବା ପାନ୍ଥଶାଳାରେ ରହଣିଜନିତ ସମସ୍ୟା କଥା ଶୁଣିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଗସ୍ତ ବେଳେ ଗାଧୋଇବା ପାଇଁ ସମ୍ମୁଖୀନ ହୋଇଥିବା ଅସୁବିଧା କଥା କହିବାକୁ ଯାଇ କହିଲେ, ହୋଟେଲ୍ ରୋଷେଇଘରୁ ‘ସସ୍ପାନ୍’ଟିଏ ଆଣି ତାକୁ ‘ମଗ୍’ ଭଳି ବ୍ୟବହାର କରି ପାଣି ଢାଳି ଗାଧୋଇଲି।
ପର୍ଯ୍ୟଟନ ସମୟରେ ପାନ୍ଥଶାଳା ରହଣି ବେଳେ କିଭଳି ଶୌଚାଳୟ ନିର୍ମାଣ କରିବାକୁ ପଡ଼ିବ ସେ ସଂକ୍ରାନ୍ତରେ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଲେ, ପ୍ରଧାନମନ୍ତ୍ରୀ ଥିବା ବେଳେ ଅଟଳବିହାରୀ ବାଜପେୟୀ ତାଙ୍କୁ ଆମେରିକାସ୍ଥିତ ‘ୟୁଏନ୍ ଜେନେରାଲ୍ ଆସେମ୍ବ୍ଲିକୁ’ ପଠାଇଥିଲେ। ସେଠରେ ସେ ଗୋଟାଏ ହୋଟେଲ୍ରେ ରହିଥିଲେ। ସେ ଆମେରିକୀୟ ହୋଟେଲ୍ଗୁଡ଼ିକରେ ବାଲ୍ତି ନାହିଁ, ମଗ୍ ନାହିଁ କି, କିଛି ନାହିଁ। ସେଠାକାର ବ୍ୟବସ୍ଥା ବିଷୟରେ ମୁଁ କିଛି ବୁଝିପାରିଲି ନାହିଁ। ତା’ପରେ ମୁଁ ହୋଟେଲ୍ ରୋଷେଇଘରକୁ ଯାଇ ସେଠାରେ ‘ସସ୍ପାନ୍’ଟିଏ ଦେଖିଲି। ମୁଁ ସେଇଟାକୁ ନେଇ ଆସି ମଗ୍ ଭଳି ବ୍ୟବହାର କରି ପାଣି ଢାଳିହୋଇ ଗାଧୋଇଲି। ମଗ୍ ବଦଳରେ ସସ୍ପାନ୍। ମୁଁ ପାଶ୍ଚାତ୍ୟ ଦେଶକୁ ଯାଇ ମୋ ହିସାବରେ ଚଳିପାରିବା ବେଳେ ନିଜ ଦେଶରେ କାହିଁକି ଆପଣମାନେ ଆପଣମାନଙ୍କ ହିସାବରେ ଚଳିପାରିବେ ନାହିଁ?
/sambad/media/post_attachments/wp-content/uploads/2022/06/mb1.jpg)
ବାଙ୍କୁଡ଼ାର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଶିଳ୍ପ ଉପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବାରମ୍ବାର ଗୁରୁତ୍ବାରୋପ କରୁଛନ୍ତି। ସେଥିପାଇଁ ସରକାର କେତେକ ଆଦିବାସୀ ଅଞ୍ଚଳରେ ପାନ୍ଥଶାଳା ନିର୍ମାଣ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରକଳ୍ପ କରାଯାଇଛି। ସେଥିରେ ପାଶ୍ଚାତ୍ୟ ଶୈଳୀରେ ଶୌଚାଳୟ ନିର୍ମାଣ ହେଉଥିବାରୁ କେତେକ ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହେଉଥିଲା।
ତେଣୁ, ମୁଖ୍ୟମନ୍ତ୍ରୀ କହିଲେ, ଯେଉଁଠି ସମସ୍ୟା ଦେଖା ଦେଉଛି ଆବଶ୍ୟକସ୍ଥଳେ ଭାରତୀୟ ଶୈଳୀର ଶୌଚାଳୟ ନିର୍ମାଣ କରାଯାଉ। ଦେଶୀୟ ଲୋକଙ୍କ ପାଇଁ କୌଣସି କ୍ଷେତ୍ରରେ ବାଧ୍ୟବାଧକତା ନାହିଁ। ସେ କହିଛନ୍ତି, ଆଦିବାସୀମାନଙ୍କର ନିଜସ୍ବ ସଂସ୍କୃତି ରହିଛି। ଆମେ ସେମାନଙ୍କ ସଂସ୍କୃତିରେ ଆମେ ହସ୍ତକ୍ଷେପ କରିପାରିବା ନାହିଁ। ସେମାନେ ସେମାନଙ୍କ ସଂସ୍କୃତିରେ ଗୌରବାନ୍ବିତ ହୁଅନ୍ତୁ।