ଉଦ୍ଧବଙ୍କୁ ‘ଚାପୁଡ଼ା’ ବୟାନରେ ରାଣେ କାଏମ: ମୁଁ କିଛି ଭୁଲ୍‌ କହିନାହିଁ

ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହେବ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ‘ଚାପୁଡ଼ା’ ବୟାନ ମାମଲାରେ ଗିରଫ ହୋଇ ଜାମିନା ପାଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଆଜି କହିଛନ୍ତି, ‘ମୁଁ ଦେଇଥିବା ବୟାନରେ କାଏମ ରହିଛି। ମୁଁ କିଛି ଭୁଲ୍‌ କହିନାହିଁ।’ ଗତକାଲି ଗିରଫ ହୋଇଥିବା ରାଣେଙ୍କୁ ମହାଡ଼ ଅଦାଲତ ଗତରାତିରେ ଜାମିନ ପ୍ରଦାନ କରିବା ସହ ୩୦ ଅଗଷ୍ଟ ଏବଂ ୬ ସେପ୍‌ଟେମ୍ବରରେ ହାଜର ହେବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ଆଜି ରାଣେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମତେ ଯେଭଳି ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିଲା ତାହା ପ୍ରତିଶୋଧ ରାଜନୀତିର ପ୍ରମାଣ। ତେବେ ମୁମ୍ବାଇ ହାଇକୋର୍ଟ ଗିରଫଦାରୀ ନେଇ ରୋକ୍‌ ଲଗାଇଛନ୍ତି ଏବଂ ସେପ୍‌ଟେମ୍ବର ୧୭ରେ ଶୁଣାଣି ରଖିଛନ୍ତି। ସମସ୍ତ ମାମଲା ଖାରଜ କରିବା ପାଇଁ ମୁଁ ନିବେଦନ କରିଛି ବୋଲି ରାଣେ କହିଛନ୍ତି।

ମୋର ଭଲ ପ୍ରକୃତିର ଫାଇଦା ଉଠାଇ କିଛି ଲୋକ ମୋ ବିରୋଧରେ ଲାଗିଛନ୍ତି, କିନ୍ତୁ ଦଳ ମୋ ସହିତ ଦୃଢ଼ ଭାବେ ରହିଛି ବୋଲି ରାଣେ କହିଛନ୍ତି। ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିଲି ଏବଂ ତାହା ସଂପୂର୍ଣ୍ଣ କରିବି’ ବୋଲି ରାଣେ କହିଛନ୍ତି। ଉଦ୍ଧବ ଠାକ୍‌ରେ ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଏକ ବୟାନକୁ ରାଣେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଉଦ୍ଧବ କହିଥିଲେ ଯେ ‘ଯୋଗୀଙ୍କୁ ଚପଲରେ ପିଟିବା କଥା।’ ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ସଂପର୍କରେ ମୁଁ ଅଧିକ କ’ଣ କହିବି ବୋଲି ରାଣେ କହିଛନ୍ତି।

ସମ୍ବନ୍ଧିତ ଖବର