ଆବୁଧାବି : ବୀରେନ୍ଦ୍ର ସେହ୍ବାଗ ଏବଂ ସଚିନ୍ ତେନ୍ଦୁଲକରଙ୍କ ସହ ନିଜ କ୍ୟାରିୟରରେ ଅଧିକାଂଶ ମ୍ୟାଚ୍ରେ ପାଳି ଆରମ୍ଭ କରିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଉଭୟଙ୍କ ମଧ୍ୟରୁ କାହା ସହ ଓପ୍ନିଂ ବ୍ୟାଟିଂକୁ ଅଧିକ ଉପଭଗୋ କରିଥିଲେ ବୋଲି ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା ବେଳେ ସେ ସଚିନ୍ଙ୍କ ନାମ ନେଇଥିଲେ। ସେହ୍ବାଗଙ୍କ ତୁଳନାରେ ସଚିନ୍ଙ୍କ ସହ ପାଳି ଆରମ୍ଭ କରିବାକୁ ମୁଁ ଅଧିକ ଉପଭୋଗ କରିଥିଲି। କାରଣ ସଚିନ୍ ହିଁ ମୋତେ ଜଣେ ଉତ୍ତମ ବ୍ୟାଟର୍ ଭାବେ ପରିଚୟ ଦେଇଥିଲେ ବୋଲି ଏକ ରାପିଡ୍ ଫୟାର ରାଉଣ୍ଡ୍ରେ ଗାଙ୍ଗୁଲି କହିଛନ୍ତି। ସଚିନ୍ ସବୁଠୁ ଅଧିକ ବୁଦ୍ଧିମାନ ଥିଲା ବେଳେ ସେହ୍ବାଗ କ୍ରିକେଟ୍ ପାଗଳ ଥିଲେ। ତେଣୁ ଦୁହିଁଙ୍କ ମଧ୍ୟରୁ ମୋର ଅଧିକ ପସନ୍ଦ ସଚିନ। ସେ ପ୍ରକୃତରେ ମୋତେ ଜଣେ ଶ୍ରେଷ୍ଠ ବ୍ୟାଟର୍ ଭାବେ ଗଢ଼ି ତୋଳିଥିଲେ। ସଚିନ୍ ବାସ୍ତବରେ ମୋ ଖେଳର ସ୍ତରକୁ ଉଚ୍ଚରେ ପହଞ୍ଚାଇଥିଲେ ବୋଲି ଗାଙ୍ଗୁଲି କହିଛନ୍ତି।
କେଉଁ ଜୀବନ୍ତ କ୍ରିକେଟର୍ଙ୍କୁ ସେ ସବୁଠୁ ଅଧିକ ସମ୍ମାନ କରନ୍ତି ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି ମଧ୍ୟ ସଚିନଙ୍କ ନାମ ନେଇଥିଲେ। ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ସଚିନ୍ ସ୍ବତନ୍ତ୍ର ଥିଲେ ଏବଂ ମୁଁ ତାଙ୍କୁ ଅତି ନିକଟରୁ ଦେଖିଥିଲି। ଥରେ ତାଙ୍କ ପଞ୍ଜରାରେ ଆଘାତ ପାଇଥିବା ମୁଁ ଦେଖିଥିଲି। ହେଲେ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ। ବରଂ ରନ୍ କରିଚାଲିଥିଲେ। କିନ୍ତୁ ପରଦିନ ସକାଳେ ତାଙ୍କ ପଞ୍ଜରାରେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା। ସେହି ମ୍ୟାଚ୍ ବେଳେ ମୁଁ ଏକ ଶବ୍ଦ ଶୁଣିବାକୁ ପାଇଥିଲି। ତାଙ୍କ ପାଖକୁ ଯାଇ ଠିକ୍ ଅଛ କି ନାହିଁ ପଚାରିଥିଲି। ସେ ପୂରା ଠିକ୍ ଥିବା ମଧ୍ୟ କହିଥିଲେ। ମାତ୍ର ପରଦିନ ତାଙ୍କର ପଞ୍ଜରା ହାଡ଼ ସାମାନ୍ୟ ଭାଙ୍ଗିଥିବା ଦେଖାଯାଇଥିଲା। ଦେଶ ପାଇଁ ତାଙ୍କ କ୍ରିକେଟ୍ ପ୍ରୀତି କେତେ ତାହା ଏହି ଘଟଣାରୁ ପ୍ରମାଣିତ ହୋଇଥିଲା। ବାସ୍ତବରେ ସେ ସ୍ବତନ୍ତ୍ର ଥିଲେ ବୋଲି କହିଛନ୍ତି ଗାଙ୍ଗୁଲି।
ତାଙ୍କ ସମୟରେ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ମଧ୍ୟରୁ କେଉଁଠାରେ ଟେଷ୍ଟ୍ ମ୍ୟାଚ୍ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ବୋଲି ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି ଅଷ୍ଟ୍ରେଲିଆକୁ ବାଛିଥିଲେ। ସେହିପରି ଭାରତୀୟ ଦଳର ଅଧିନାୟକ ନା ବିସିସିଆଇର ସଭାପତି କେଉଁଟାକୁ ସେ ଅଧିକ ପସନ୍ଦ କରନ୍ତି ବୋଲି ପଚାରାଯିବାରୁ ଗାଙ୍ଗୁଲି କ୍ରିକେଟ୍ ଦଳ ସହ ରହିବାକୁ ବାଛିଥିଲେ। ପୁଣି ୨୦୦୧ରେ କୋଲ୍କାତା ଟେଷ୍ଟ୍ ନା ୨୦୦୨ ଲର୍ଡସରେ ନାଟ୍ୱେଷ୍ଟ୍ କପ୍ ଫାଇନାଲ୍ ବିଜୟ ତାଙ୍କ ପାଇଁ ଶ୍ରେଷ୍ଠ ବୋଲି ପଚାରିବାରୁ ଗାଙ୍ଗୁଲି ଘରୋଇ ମାଟିର ବିଜୟକୁ ଶ୍ରେୟ ଦେଇଥିଲେ। ଘରୋଇ ମାଟିରେ ୨୦୦୧ର ବିଜୟ ଦଳରେ ପରିବର୍ତନ ଆଣିପାରିଥିଲା। ଏହା ମଧ୍ୟ ଦଳ ମଧ୍ୟରେ ଆତ୍ମବିଶ୍ବାସ ବଢ଼ାଇଥିଲା। ତାଙ୍କ କ୍ୟାରିୟର ମଧ୍ୟରେ ସେ ସାମ୍ନା କରିଥିବା କେଉଁ ବୋଲର ତାଙ୍କ ପାଇଁ ଚିନ୍ତାର କାରଣ ପାଲଟୁଥିଲେ ବୋଲି ଆଉ ଏକ ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି ସିଂହଳୀ ସ୍ପିନର ମୁଥେୟା ମୁରଲିଧରନ୍ଙ୍କ ନାମ ନେଇଥିଲେ। ମୁରଲିଧରନ୍ ହିଁ ମୋ ମତରେ ସବୁଠୁ କଷ୍ଟକର ବୋଲର ଥିଲେ ବୋଲି କହିଥିଲେ।