ଜୀବନ ବ୍ୟାପୀ ଯୁଦ୍ଧ ଲଢ଼ୁଛି: ୟେଦୁରପ୍ପା

ବେଙ୍ଗାଲୁରୁ: ମାତ୍ରେ ଅଢ଼େଇ ଦିନ ମୁଖ୍ୟମନ୍ତ୍ରୀ ରହିଥିବା ୟେଦୁରପ୍ପା ଆଜି ଇସ୍ତଫା ଦେବା ପୂର୍ବରୁ ବିଧାନସଭାରେ ଆବେଗପୂର୍ଣ୍ଣ ଉଦ୍‌୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ କର୍ଣ୍ଣାଟକବାସୀ ବିଜେପିକୁ ୧୦୪ ଆସନରେ ବିଜୟୀ କରାଇଛନ୍ତି ଏବଂ ୧୧୩ଟି ଆସନ ଦେଇଥିଲେ ରାଜ୍ୟର ଚିତ୍ର ବଦଳି ଯାଇଥାନ୍ତା। ରାଜ୍ୟକୁ ସଚ୍ଚୋଟ ନେତାଙ୍କ ଆବଶ୍ୟକ ରହିଛି। ଆଜି ମୋ ସମ୍ମୁଖରେ ଅଗ୍ନିପରୀକ୍ଷା, କିନ୍ତୁ ମୁଁ ଜୀବନରେ ଅନେକ ଅଗ୍ନି ପରୀକ୍ଷା ଦେଇଛି ଏବଂ ଜୀବନ ବ୍ୟାପୀ ଯୁଦ୍ଧ ଲଢ଼ୁଛି। ମୁଁ ରାଜ୍ୟବାସୀଙ୍କ ସେବା କରିବାକୁ ଚାହୁଛି ଏବଂ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ହିଁ ନିୟୋଜିତ ରହିବି। ଜନସେବା ପାଇଁ ମୁଁ ଜୀବନ ସମର୍ପିତ କରିବାକୁ ସର୍ବଦା ତୟାର। ଏବେ ମୁଁ ରାଜ୍ୟର କୋଣ ଅନୁକୋଣକୁ ଯିବି ଏବଂ ଲୋକଙ୍କ ବିପୁଳ ସମର୍ଥନ ହାସଲ କରି ପୁନର୍ବାର କ୍ଷମତାକୁ ଫେରିବି। ଆଗାମୀ ଲୋକସଭା ନିର୍ବାଚନରେ ଦଳ ସମସ୍ତ ୨୮ଟି ଆସନରେ ବିଜୟୀ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେ ଏହି ଉପହାର ଦେବୁ ବୋଲି ୟେଦୁରପ୍ପା କହିଥିଲେ। ସିଦ୍ଦରାମେୟାଙ୍କ ଉଦ୍ଦେଶ୍ୟରେ ୟେଦୁରପ୍ପା କହିଥିଲେ ମୁଁ ଦଳୀୟ ରାଜନୀତି କରୁନାହିଁ, ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜନୀତି କରୁଛି । ରାଜ୍ୟର କୃଷକ ଓ ଦଳିତମାନେ ସର୍ବଦା ଉପେକ୍ଷିତ ରହୁଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ମୁଁ କାମ କରିବା ଜାରି ରଖିବି । କୃଷକମାନଙ୍କୁ ସର୍ବନିମ୍ନ ମୂଲ୍ୟ ଦେବାକୁ ସରକାର ବାଧ୍ୟ। ବିଜେପି ସରକାର ଗଠନ ହୋଇଥିଲେ ପ୍ରଥମେ କୃଷକଙ୍କ ଋଣଛାଡ଼ କରିବାକୁ ମୁଁ ଚିନ୍ତା କରିଥିଲି। କଂଗ୍ରେସ ସରକାର ବିରୋଧରେ କ୍ଷୁବ୍ଧ କୃଷକ ଏହି ସରକାରକୁ ହଟାଇବା ପାଇଁ ବିଜେପିକୁ ଭୋଟ୍‌ ଦେଇଥିଲେ ବୋଲି ୟେଦୁରପ୍ପା କହିଥିଲେ।

ସମ୍ବନ୍ଧିତ ଖବର