ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଣି ଥରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମତେ ଶନିବାର ମଜାର-ଏ-ଶୁହାଦା ଯିବାକୁ ଅନୁମତି ଦିଆଯାଇ ନ ଥିଲା। ମତେ ଘରେ ନଜରବନ୍ଦୀ କରି ରଖାଯାଇଛି।

Advertisment

ମୋ ଘର କବାଟରେ ବଡ଼ ତାଲା ଝୁଲାଇ ଦିଆଯାଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏହାର ଫଟୋ ଶେୟାର କରି ମେହବୁବା ଏକ ଲମ୍ବା ନୋଟ୍ ଲେଖିଛନ୍ତି।

ପିଡିପି ସଭାପତି ମେହବୁବା ମୁଫତି ଏକ୍ସ ପ୍ଲାଟଫର୍ମରେ ଏକ ଟୁଇଟ୍ ସେୟାର କରି କହିଛନ୍ତି ଯେ ତାଙ୍କୁ ମଜାର-ଏ-ଶୁହାଦା ଯିବାକୁ ଅନୁମତି ନାହିଁ। ଶୁହାଦା କ୍ଷମତାସୀନବାଦ, ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧରେ କଶ୍ମୀରର ବିରୋଧ ପ୍ରଦର୍ଶନ କରେ। ମୋତେ ସେଠାକୁ ଯିବାକୁ ଅଟକାଇ ଦିଆଗଲା ଏବଂ ମୋ ଘରର କବାଟରେ ଏକ ବଡ଼ ତାଲା ଟଙ୍ଗାଯାଇଥିଲା।

ଏପରି କାର୍ଯ୍ୟ କରି କଶ୍ମୀରବାସୀଙ୍କ ଭାବନାକୁ ଆଘାତ ଦେବା ଠିକ୍ ନୁହେଁ। ଶୁହାଦା ହେଉଛି ଆମର ସହିଦମାନଙ୍କ ବଳିଦାନ ସବୁଠାରୁ ବଡ ଉଦାହରଣ ।

ମେହବୁବା ଲେଖିଛନ୍ତି ଯେ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ରାଜ୍ୟର ସମସ୍ତ କ୍ଷମତା ଛଡ଼ାଇ ନିଆଯାଇଥିଲା। ଆମ ପାଇଁ ପବିତ୍ର ଥିବା ସମସ୍ତ ଜିନିଷ ଛଡ଼ାଇ ନିଆଗଲ। ବି‌ଜେପି ସରକାର ଆମର ସ୍ମୃତି ଲିଭାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମେ ଅନ୍ୟାୟ ବିରୋଧରେ ଲଢ଼େଇ ଜାରି ରଖିବୁ।

ମେହବୁବା ମୁଫତି ମଜାର-ଏ-ଶୁହାଦାରେ ଯୋଗଦେବାକୁ ଚାହୁଁଥିଲେ। ଧାରା ୩୭୦ଅପସାରଣ ପୂର୍ବରୁ, କଶ୍ମୀରରେ ପ୍ରତିବର୍ଷ ୧୩ ଜୁଲାଇରେ ଏକ ଛୁଟି ଘୋଷଣା କରାଯାଇଥିଲା। କଶ୍ମୀରବାସୀଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର। ୨୦୧୯ ପୂର୍ବରୁ ଏହି ଦିନ କଶ୍ମୀରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ ଧାରା ୩୭୦ ଅପସାରଣ ପରେ ଏହି ଛୁଟି ମଧ୍ୟ ବନ୍ଦ ହୋଇଯାଇଛି।

ସୂଚନାଯୋଗ୍ୟ,କଶ୍ମୀର ଇତିହାସରେ ମଜାର-ଏ-ଶୁହାଦାର ମହତ୍ତ୍ବ ରହିଛି। ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ, ୧୩ ଜୁଲାଇ ୧୯୩୧ରେ କଶ୍ମୀରର ଡୋଗ୍ରା ସେନା ରାଜ ହରି ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲେ। ରାଜା ହରି ସିଂଙ୍କ ସ୍ବାଧୀନ ଶାସନରେ ଅସନ୍ତୋଷ ପ୍ରକାଶ କରି ଲୋକମାନେ ଏହାକୁ ବିରୋଧ କରିଥିଲେ। ଏଥିରେ ୨୨ କଶ୍ମୀରବାସୀ ପ୍ରାଣ ହରାଇଥିଲେ। ଏହି କଶ୍ମୀରବାସୀଙ୍କ କବର ମଜାର-ଏ-ଶୁହାଦାରେ ରହିଛି। ପ୍ରତିବର୍ଷ ୧୩ ଜୁଲାଇରେ ଲୋକମାନେ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏଠାକୁ ଆସିଥାନ୍ତି।