ପତ୍ନୀଙ୍କୁ ଇଡିର ନୋଟିସ ପରେ ଶିବସେନା ନେତା ସଞ୍ଜୟଙ୍କ ବୟାନ; ଆଗ ଭଳି ଇଡି, ସିବିଆଇ ଏବଂ ଆୟକର ବିଭାଗର ଗୁରୁତ୍ବ ନାହିଁ

ନୂଆଦିଲ୍ଲୀ: ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଗତକାଲି ସମନ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ୪୩୫୫ କୋଟି ଟଙ୍କାର ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାର ତଦନ୍ତ ନେଇ ତାଙ୍କୁ ଇଡି ସମନ ପଠାଇଥିବା ଜଣାପଡ଼ିଛି। ଡିସେମ୍ବର ୨୯ରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଛି। ତେବେ ପତ୍ନୀଙ୍କୁ ଇଡିର ସମନ ମିଳିବା ପରେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ରାଉତ। ଆଗ ଭଳି ଏବେ ଇଡି, ସିବିଆଇ ଏବଂ ଆୟକର ବିଭାଗର ଗୁରୁତ୍ବ ନାହିଁ ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, ଇଡି, ସିବିଆଇ କିମ୍ବା ଆୟକର ବିଭାଗର ଗୁରୁତ୍ୱ ହ୍ରାସ ପାଉଛି। ପୂର୍ବରୁ ଯେତେବେଳେ ଏହି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା, ସେତେବେଳେ ଲୋକେ ତାକୁ ଗମ୍ଭୀରତାର ସହ ନେଉଥିଲେ। କିନ୍ତୁ ଏବେ ରାଜନୈତିକ ଦଳମାନେ ବିରୋଧୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ  ଇଡି, ସିବିଆଇ କିମ୍ବା ଆୟକର ବିଭାଗକୁ ବ୍ୟବହାର କରୁଛନ୍ତି। ଆଗଭଳି ଏହି ବିଭାଗଗୁଡ଼ିକର ଗୁରୁତ୍ବ ନାହିଁ। ମୋ ପାଖରେ ବିଜେପିର ଏକ ଫାଇଲ ଅଛି, ଯେଉଁଥିରେ ୧୨୧ ଜଣଙ୍କ ନାଁ ରହିଛି। ଏହି ଫାଇଲକୁ ମୁଁ ଖୁବ ଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେବି। ସେଥିରେ ଏତେ ସଂଖ୍ୟକ ନାଁ ଅଛି ଯେ ଇଡିକୁ ପାଞ୍ଚ ବର୍ଷ କାମ କରିବାକୁ ପଡିବ।

Sanjay Raut Wife Varsha Raut Summoned For Questioning In PMC Bank Case
NDTV.com

ମିଳିଥିବା ସୂଚନା ମୁତାବକ, ବର୍ଷାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ପ୍ରବୀଣ ରାଉତଙ୍କ ପତ୍ନୀଙ୍କୁ ମଧ୍ୟ ଇଡି ପଚରାଉଚରା ପାଇଁ ସମନ ପଠାଇଥିବା ଜଣାପଡ଼ିଛି। ପ୍ରବୀଣ ରାଉତଙ୍କୁ କିଛି ଦିନ ପୂର୍ବରୁ ଇଡି ଗିରଫ କରିଥିଲା। ବର୍ଷା ରାଉତଙ୍କ ଆକାଉଣ୍ଟକୁ ପ୍ରବୀଣଙ୍କ ଆକାଉଣ୍ଟରୁ ଯେଉଁ ଟଙ୍କା ପଠାଯାଇଥିଲା, ତାକୁ ନେଇ ଇଡି ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ଏ ନେଇ ବର୍ଷାଙ୍କୁ ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଆସିବାକୁ ଇଡି ସମନ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର