‘ମୋର ବଞ୍ଚିବା ପାଇଁ ଆଉ ଆଗ୍ରହ ନାହିଁ…’ ଆତ୍ମହତ୍ୟାର ୯ ଦିନ ପୂର୍ବରୁ ଇ-ମେଲ୍‌ରେ ଶଶି ଥରୁର୍‌ଙ୍କୁ ଲେଖିଥିଲେ ସୁନନ୍ଦା

ନୂଆଦିଲ୍ଲୀ: ‘ମୋର ବଞ୍ଚିବା ପାଇଁ ଆଉ ଆଗ୍ରହ ନାହିଁ… ମୁଁ ଏବେ ମୋ ପାଇଁ କେବଳ ଗୋଟିଏ ପ୍ରାର୍ଥନା କରୁଛି ମୁତ୍ୟୁ।’ ମୁତ୍ୟୁର ୯ ଦିନ ପୂର୍ବରୁ ସ୍ୱାମୀ ଶଶି ଥରୁର୍‌ଙ୍କୁ ଏକ ଇ- ମେଲ୍‌ରେ ଏହି କଥା ଲେଖିଥିଲେ ସୁନନ୍ଦା ପୁଷ୍କର। ଖାଲି ଏତିକି ନୁହେଁ; ସୋସିଆଲ ମିଡିଆରେ ଏହି ଧରଣର ପୋଷ୍ଟିଂ ସବୁ କରିଥିଲେ ସୁନନ୍ଦା। ତେଣୁ, ସୁନନ୍ଦାଙ୍କର ଏସବୁ ଇ-ମେଲ୍‌ ଓ ସୋସିଆଲ ମିଡିଆ ପୋଷ୍ଟିଂକୁ ତାଙ୍କର ମୁତ୍ୟୁକାଳୀନ ଜମାନବନ୍ଦୀ (ଡାଇଂ ଡିକ୍ଲାରେସନ୍‌) ଭାବେ ଗ୍ରହଣ କରାଯାଉ। ଏବଂ ଆତ୍ମହତ୍ୟା ପାଇଁ ସୁନନ୍ଦାଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ତାଙ୍କ ସ୍ୱାମୀ ଶଶି ଥରୁର୍‌ଙ୍କୁ ସମନ୍‌ କରାଯାଉ ବୋଲି ଦିଲ୍ଲୀ ପୁଲିସ୍‌ ଆଜି ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସମର ବିଶାଲଙ୍କ ଅଦାଲତରେ ଯୁକ୍ତି ବାଢ଼ିଛି। ତେବେ, ଏମାମଲାରେ ବିଚାରପତି ତାଙ୍କ ରାୟକୁ ଆସନ୍ତା ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି।

ଦିଲ୍ଲୀ ପୁଲିସ୍‌ ଆଜି କୋର୍ଟରେ କହିଥିଲେ ଯେ ମାତ୍ରାଧିକ ନିଦ ବଟିକା ଖାଇବା ଫଳରେ ସୁନନ୍ଦାଙ୍କର ମୁତ୍ୟୁ ଘଟିଥିଲା। ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲର ଯେଉଁ କଠୋରିରେ ସେ ଆତ୍ମହତ୍ୟା କରିଥିଲେ ସେଠାରୁ ୨୭ଟି ନିଦ ବଟିକା ପୁଲିସ୍‌ ଜବତ କରିଥିଲା। ତେବେ, ସେ କେତୋଟି ନିଦ ବଟିକା ଖାଇଥିଲେ, ସେ ସ୍ପଷ୍ଟ ହୋଇପାରୁ ନାହିଁ।

ସୁନନ୍ଦା ପୁଷ୍କର ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦିଲ୍ଲୀ ପୁଲିସ୍‌ରେ କୋର୍ଟରେ ଦାଖଲ କରିଥିବା ୩୦୦୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ ଦର୍ଶାଇଛି ଯେ ସୁନନ୍ଦାଙ୍କର ମୁତ୍ୟୁ ପାଇଁ କେବଳ ମାତ୍ର କଂଗ୍ରେସ ସାଂସଦ ଶଶି ଥରୁର୍‌ ଦାୟୀ। ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବା ପାଇଁ ଶଶି ଥରୁର୍‌ ବାଧ୍ୟ କରି ଦେଇଥିଲେ। ଆଉ ଶେଷର ବାଧ୍ୟହୋଇ ସୁନନ୍ଦା ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ତେଣୁ, ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଶଶି ଥରୁରଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦୋଷୀ ଭାବେ ସମନ କରିବାକୁ ଦିଲ୍ଲୀ ପୁଲିସ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲା।

ସମ୍ବନ୍ଧିତ ଖବର