ଶିମିଳିପାଳ ବନାଗ୍ନି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ସଂପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଟୁଇଟ୍ କରି ଲେଖିଛନ୍ତି- ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିମିଳିପାଳରେ ବନାଗ୍ନି ଯୋଗୁଁ ସଂକଟଜନକ ପରିସ୍ଥିତି ଦେଖା ଦେଇଥିବା ବିଷୟରେ ମୟୁରଭଞ୍ଜର ରାଜକୁମାରୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ କରିଥିବା ଟୁଇଟକୁ ରିଟୁଇଟ୍ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏସିଆର ଦ୍ବିତୀୟ ବୃହତମ ଜୈବମଣ୍ଡଳ ଭାବେ ବିଶ୍ବରେ ପ୍ରସିଦ୍ଧି ହାସଲ କରିଥିବା ୨ହଜାର ୭୫୦ ବର୍ଗ କିଲୋମିଟର ପରିମିତ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ନିଆଁ ଧରି କ୍ରମଶଃ ପ୍ରସାରିତ ହେଉଛି । ବନ ବିଭାଗ ଏହାକୁ ଲିଭାଇବାକୁ ଉଦ୍ୟମ କରୁଥିଲେ ହେଁ ସଫଳ ହୋଇପାରି ନାହିଁ। ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ସାମ୍ନାକୁ ଆଣିଛନ୍ତି । ରାଜକୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ରାଜକୁମାରୀଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ଗମ୍ଭୀରତା ଭାବେ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିଥିଲେ । ଏହାର କିଛି ଘଣ୍ଟା ପରେ ଶିମିଳିପାଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।
ସମ୍ବନ୍ଧିତ ଖବର