ଚା’ ବିକିଛି, କିନ୍ତୁ ଦେଶକୁ ବିକିନାହିଁ

ଗୁଜରାଟ ନିର୍ବାଚନ ପାଇଁ ମୋଦିଙ୍କ ମାରାଥନ୍‌ ପ୍ରଚାର

ଅହମଦାବାଦ୍‌,: ଗୁଜରାଟ୍‌ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ୍‌ରେ ତାଙ୍କର ହାଇ ଭୋଲ୍ଟେଜ୍‌ ପ୍ରଚାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ୩ ଦିନିଆ ଗୁଜରାଟ ଗସ୍ତରେ ଥିବା ମୋଦି ପ୍ରଥମ ଦିନରେ ମୋଟ ୪ଟି ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଚା’ ବିକି ଜୀବନ ଆରମ୍ଭ କରିଥିବା ମୋଦି ରାଜ୍ୟବାସୀଙ୍କୁ ନିଜ ସଂଘର୍ଷର କାହାଣୀ ଶୁଣାଇବା ସହ କଂଗ୍ରେସକୁ ସିଧାସଳଖ ଆକ୍ରମଣ କରିଛନ୍ତି। କଂଗ୍ରେସ ୨୬/୧୧ ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ର ମୁକ୍ତି ଉତ୍ସବ ମନାଉଥିବା ବେଳେ ଭାରତୀୟ ସେନାବାହିନୀଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌କୁ ତିଳେହେଲେ ସମ୍ମାନ ଦେଉନି ବୋଲି ସେ ଆକ୍ଷେପ କରିଛନ୍ତି। ସେହିପରି ଏଥରର ନିର୍ବାଚନ ବିକାଶରେ ବିଶ୍ୱାସ ଏବଂ ବଂଶବାଦ ରାଜନୀତି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୋଲି ସେ କହିଛନ୍ତି।
ରାଜ୍‌କୋଟରେ ଅନ୍ୟ ଏକ ସମାବେଶରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି ଯେ ସେ ଏକ ଅଭାବୀ ପରିବାରରୁ ଆସିଥିବାରୁ କଂଗ୍ରେସ ତାଙ୍କୁ ପସନ୍ଦ କରେନା। ତେବେ ଅଭାବୀ ପରିବାରରୁ ଆସିଥିଲେ ବି ସେ ପ୍ରଧାନମନ୍ତ୍ରୀ ହୋଇ ସୁଦ୍ଧା ନିଜ ମୂଳ ପରିଚୟକୁ ଲୁଚାଇନାହାନ୍ତି। ଏହି ମର୍ମରେ ସେ କହିଛନ୍ତ, ‘ମୁଁ ଚା’ ବିକିଛି ସିନା କିନ୍ତୁ ଦେଶକୁ ବିକି ଦେଇନି।’ ନିଜ ଜନ୍ମମାଟିର ନାଁ ନେଇ ସେହି ମାଟିର ସନ୍ତାନର ରାଜନୈତିକ ଜୀବନରେ ଟିକେ ହେଲେ ଦାଗ ନାହିଁ ବୋଲି କହିଛନ୍ତି। ତେଣୁ ଏହି ମାଟିକୁ ଆସି ତା’ର ସନ୍ତାନ ବିରୋଧରେ ଯେତେ ଭିତ୍ତିହୀନ କହିଲେ ମଧ୍ୟ ତାହା କେହି ଗ୍ରହଣ କରିବେ ନାହିଁ ଏବଂ ସେଥିପାଇଁ ରାଜ୍ୟବାସୀ କ୍ଷମା ଦେବେନି ବୋଲି ମୋଦି କଂଗ୍ରେସକୁ ଚେତେଇ ଦେଇଛନ୍ତି।
ବିଜେପି ତାଲିକାରୁ ଆନନ୍ଦିବେନ୍‌ ବାଦ୍‌
ଗୁଜରାଟରେ ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଥିବା ବିଜେପି ଏହାର ଷଷ୍ଠ ଏବଂ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ତହିଁରେ ଏପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କ ସହ ଜଣେ ମନ୍ତ୍ରୀ ଏବଂ ୩ ଜଣ ବିଧାୟକ ବାଦ୍‌ ପଡ଼ିଛନ୍ତି। ଅବଶ୍ୟ ଆନନ୍ଦିବେନ ପ୍ରାରମ୍ଭରୁ ନିର୍ବାନଚ ଲଢ଼ିବେନି ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର