ପୁଟିନ୍‌ଙ୍କୁ ଭଲ ଭାବେ ଚିହ୍ନିଛି; ମୁଁ ଥିଲେ ସେ ୟୁକ୍ରେନ୍‌ ଆକ୍ରମଣ କରି ନ ଥାନ୍ତେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱାସିଂଟନ୍‌: ମୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭଲ ଭାବେ ଚିହ୍ନିଛି। ଏବେ ସେ ଯାହା କରୁଛନ୍ତି, ଟ୍ରମ୍ପ୍‌ ପ୍ରଶାସନ ଥିଲେ ସେ କେବେ ଏମିତି କରି ନ ଥାନ୍ତେ, ଆଦୌ ନୁହେଁ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ପୁଟିନ୍‌ଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବା କଥା କହି ୟୁକ୍ରେନ୍‌ ସଙ୍କଟ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଟ୍ରମ୍ପ୍‌ କହିଛନ୍ତି, ସୁଚାରୁ ରୂପେ ବୁଝାଶୁଝା କରାଯାଇଥିଲେ ଏବେ ୟୁକ୍ରେନ୍‌ରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ହୋଇ ନ ଥାନ୍ତା।

ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ରରାଷ୍ଟ୍ରମାନଙ୍କ ପ୍ରତି ରୁଷ୍‌ର ବର୍ଦ୍ଧିଷ୍ଣୁ ବିପଦ ସଂକ୍ରାନ୍ତରେ ମୌନତା ଅବଲମ୍ବନ କରୁଥିବା ଟ୍ରମ୍ପ୍‌ ସମାଲୋଚନା କରି କହିଛନ୍ତି, ଗ୍ରହଣ କରାଯାଉଥିବା ଦୁର୍ବଳ ମୁକାବିଲା ନୀତି ରୁଷ୍‌ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନର ସମକକ୍ଷ ନୁହେଁ।

Image Courtesy of NDTV

ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି, ଏବେ ତୈଳ ଦର ବଢ଼ି ବଢ଼ି ଚାଲିଛି। ତୈଳ ଦର ବୃଦ୍ଧି ପାଉ ବୋଲି ପୁଟିନ୍‌ ସବୁବେଳେ ଚାହୁଁଥିଲେ। ଏବେ ତୈଳ ଓ ଗ୍ୟାସ୍‌ ମୂଲ୍ୟ ଦ୍ରୁତ ବୃଦ୍ଧି ଯୋଗୁଁ ରୁଷ୍‌ ଧନଶାଳୀ ହୋଇ ଚାଲିଛି।

କିନ୍ତୁ, ରୁଷ୍‌ ପାଇଁ ଥିବା ହ୍ବାଇଟ୍‌ ହାଉସ୍‌ର ପୂର୍ବତନ ପରାମର୍ଶଦାତା ରବିବାର ଦିନ ‘ସିଏନ୍‌ଏନ୍‌’କୁ କହିଛନ୍ତି ଯେ, ଟ୍ରମ୍ପ୍‌ଙ୍କ ବୈଦେଶିକ ନୀତି ରୁଷ୍‌ର ସାହସ ବଢ଼ାଇ ଦେଇଛିି। ଟ୍ରମ୍ପ୍‌ଙ୍କ ବୈଦେଶିକ ନୀତି ଥିଲା ବ୍ୟକ୍ତିଗତ ଅସୁବିଧାଦ୍ବାରା ପରିଚାଳିତ, ଜାତୀୟ ସ୍ବାର୍ଥ ନିମିତ୍ତ ନୁହେଁ। କାରଣ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନ୍‌ଙ୍କ ପରିବାର ବିରୋଧରେ ଗୋଟାଏ ମିଥ୍ୟା ଦୁର୍ନୀତି ତଦନ୍ତ ଆରମ୍ଭ କରିବାକୁ ଟ୍ରମ୍ପ୍‌ ୟୁକ୍ରେନ୍‌ର ନେତାମାନଙ୍କୁ କହିବାରୁ ୟୁକ୍ରେନ୍‌ ରାଜନୈତିକ ଦ୍ବନ୍ଦ୍ବରେ ଫସି ଯାଇଥିଲା।

ଅଭିଯୋଗ ହୋଇଥିଲା କି, ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କ ଉପରେ ଚାପ ପକାଇବାକୁ ସାମରିକ ସହାୟତା ଅବରୋଧ ପାଇଁ ଟ୍ରମ୍ପ୍‌ ଉଦ୍ୟମ କରିଥିଲେ। ସେଥିପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା।

ସମ୍ବନ୍ଧିତ ଖବର