ବରେଲି: ସ୍ଥାନୀୟ ମୌଲାନା ତଥା ଇତ୍ତେହାଦ୍-ଏ-ମିଲ୍ଲତ ପରିଷଦର ମୁଖ୍ୟ ତୌକିର ରଜା ଖାନକୁ ପୁଲିସ ଗିରଫ କରିଛି। ବରେଲିରେ ଶୁକ୍ରବାର ପ୍ରାର୍ଥନା ପରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ହିଂସାତ୍ମକ ସଂଘର୍ଷର ମାଷ୍ଟରମାଇଣ୍ଡ ଅଭିଯୋଗରେ ଶନିବାର ଏକ ସ୍ଥାନୀୟ କୋର୍ଟ ରଜା ଓ ସାତ ଜଣଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ ସିଂହ ଓ ବରିଷ୍ଠ ପୁଲିସ ଅଧୀକ୍ଷକ ଅନୁରାଗ ଆର୍ଯ୍ୟ ଶନିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀ ଘୋଷଣା କରିଛନ୍ତି।
ଶୁକ୍ରବାର ପ୍ରାର୍ଥନା ପରେ କୋତୱାଲି ଅଞ୍ଚଳର ଏକ ମସଜିଦ ବାହାରେ ‘ଆଇ ଲଭ୍ ମହମ୍ମଦ’ ପୋଷ୍ଟର ଧରି ଏକ ବିଶାଳ ଜନତା ପୁଲିସ ସହ ସଂଘର୍ଷ କରିଥିଲେ। ରଜା ଶୁକ୍ରବାର ହିଂସା ସୃଷ୍ଟି କରିବା ପାଇଁ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ ହୋଇଛି। ରଜାଙ୍କ ଉତ୍ତେଜକ ଭାଷଣ ପରେ ଯୁବକମାନଙ୍କର ଏକ ଭିଡ଼ ରାସ୍ତାକୁ ଓହ୍ଲାଇଥିଲା, ଯାହା ଖଲିଲ ତିରାହାଠାରୁ ଇସଲାମିଆ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଅରାଜକତା ପରିବେଶ ସୃଷ୍ଟି କରିଥିଲା। ଗିରଫ ହୋଇଥିବା ଅନ୍ୟ ସାତ ଜଣ ହେଲେ ସରଫରାଜ, ମନିଫୁଦ୍ଦିନ, ଅଜିମ ଅହମଦ, ମହମ୍ମଦ ସରିଫ, ମହମ୍ମଦ ଆମିର, ରେହାନ ଓ ମହମ୍ମଦ ସରଫରାଜ। ଘଟଣାର ଭିଡିଓ ଫୁଟେଜ୍ ମାଧ୍ୟମରେ ଚିହ୍ନଟ ହେବା ପରେ ଶୁକ୍ରବାର ହିଂସାକାଣ୍ଡ ମାମଲାରେ ପୁଲିସ ୩୬ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଶନିବାର ସକାଳେ ଏସ୍ପି (ଟ୍ରାଫିକ୍) ଆକମଲ ଖାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ରଜାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ।
ଶନିବାର ସକାଳେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଇତ୍ତେହାଦ୍-ଏ-ମିଲ୍ଲତ ପରିଷଦର ପ୍ରତିଷ୍ଠାତା ରଜା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୈତିକ ଭାବରେ ସକ୍ରିୟ ଅଛନ୍ତି, ବରେଲି ଓ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାଙ୍କର କିଛି ପ୍ରଭାବ ରହିଛି। ସେ ସୁନ୍ନି ଇସଲାମର ବରେଲଭି ସମ୍ପ୍ରଦାୟର ପ୍ରତିଷ୍ଠାତା ଅହମଦ ରଜା ଖାନଙ୍କ ବଂଶଧର। ଏହା ପୂର୍ବରୁ ରଜା ୨୦୧୦ରେ ଦଙ୍ଗା ଏବଂ ୨୦୧୯-୨୦ରେ ସିଏଏ/ଏନ୍ଆର୍ସି ବିରୋଧୀ ବିକ୍ଷୋଭ ସମୟରେ ଭିଡ଼କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କଡ଼ା ଦୃଢ ବାର୍ତ୍ତା ପଠାଇଛନ୍ତି ଯେ ଆଇନଶୃଙ୍ଖଳା ଭଙ୍ଗ କରିବାକୁ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ। ଏହି ବିବାଦ ପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି କହିଛନ୍ତି ଯେ ‘ଆଇ ଳଭ୍ ମହମ୍ମଦ’ କହିବା ଅପରାଧ ନୁହେଁ।