କେବେ ବି କହିନି ଏହା ମୋର ଶେଷ ନିର୍ବାଚନ, ମୋ କଥାର ଭୁଲ୍‌ ଅର୍ଥ ବାହାର କରାଯାଇଛି: ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସମସ୍ତଙ୍କୁ ଚକିତ କରିଦେବା ଭଳି ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନୀ ପ୍ରଚାରର ଶେଷ ଦିନ ନୀତୀଶ ଏକ ରୢାଲିରେ କହିଥିଲେ ଯେ, ‘ଏହା ତାଙ୍କର ‌ଶେଷ ନିର୍ବାଚନ’। ଏହି ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ନୀତୀଶ ଆଜି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭିନ୍ନ ମତ ରଖିଛନ୍ତି। ନୀତୀଶ କହିଛନ୍ତି, ସେ କେବେ ବି କହିନାହାନ୍ତି ଯେ, ଏହା ତାଙ୍କର ‌ଶେଷ ନିର୍ବାଚନ। ତାଙ୍କ ଟିପ୍ପଣୀର ଭୁଲ୍‌ ଅର୍ଥ ବାହାର କରାଯାଇଛି ବୋଲି ସେ କହିଛନ୍ତି । ନୀତୀଶଙ୍କ ଅନୁଯାୟୀ ସେ ଅବସର ବିଷୟରେ କିଛି କହିନଥିଲେ। ପ୍ରତି ନିର୍ବାଚନର ଶେଷ ରୢାଲିରେ ସେ ‘ଶେଷ ଭଲ ‌ହେଲେ ସବୁ ଭଲ ହୁଏ’ ବୋଲି କହନ୍ତି। ବିହାର ନିର୍ବାଚନୀ ପ୍ରଚାରର ଶେଷ ଦିନରେ ମଧ୍ୟ ନୀତୀଶ ଏହି କଥା କହିଥିଲେ। ତାଙ୍କ ଭାଷଣକୁ ପୁନର୍ବାର ଶୁଣିବାପାଇଁ ନୀତୀଶ କହିଛନ୍ତି। ତେବେ ଭବିଷ୍ୟତରେ ଯଦି ତାଙ୍କୁ କାମ କରିବାକୁ ପଡ଼େ ତେବେ ସେ ସେହି ସମାନ ଆଗ୍ରହ ଏବଂ ସମାନ ନିଷ୍ଠାର ସହ କାମ କରିବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ନୀତୀଶ ପୁର୍ନିଆର ଦମଦହା ରୢାଲିରେ କହିଥିଲେ, ‘ଏହା ମୋର ଶେଷ ନିର୍ବାଚନ, ଶେ‌ଷ ଭଲ ହେଲେ ସବୁକିଛି ଭଲ ହୁଏ’ । କିନ୍ତୁ ନୀତୀଶଙ୍କର ଏହି ଭାଷଣ ପରେ ଏହା ସ୍ପଷ୍ଟ ବୁଝିନେବାକୁ ପଡ଼ିଥିଲା ଯେ, ନୀତୀଶଙ୍କର ଏହା ଶେଷ ନିର୍ବାଚନ।

ସମ୍ବନ୍ଧିତ ଖବର