ପାନାଜୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର. ଗଭାଇ ଗୋଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗୋଆ ହାଇକୋର୍ଟ ବାର ଆସୋସିଏସନରେ ଦେଇଥିବା ଭାଷଣରେ ସେ ତାଙ୍କ କଲେଜ ଦିନଗୁଡ଼ିକୁ ମନେ ପକାଇଥିଲେ। ଏହା ସହିତ, ସେ କାର୍ଯ୍ୟନିର୍ବାହୀ ସହ ଜଡିତ ବିଭିନ୍ନ ବିଷୟ ଉପରେ ନିଜର ମତାମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିବା ସମୟରେ ସେ କହିଥିଲେ ଯେ, କାର୍ଯ୍ୟପାଳିକାକୁ ବିଚାରପତିର ଭୂମିକା ଗ୍ରହଣ କରିବାକୁ ଅନୁମତି ଦେବା ସମ୍ବିଧାନରେ ଥିବା କ୍ଷମତା ପୃଥକୀକରଣ ନୀତିକୁ କ୍ଷୁର୍ଣ୍ଣ କରିଥାଏ।
ସେ ଦେଶରେ ବଢ଼ୁଥିବା ବୁଲଡୋଜର କାର୍ଯ୍ୟ ଉପରେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ରାୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, କାର୍ଯ୍ୟପାଳିକାକୁ ବିଚାରପତି ହେବାକୁ ରୋକିବା ପାଇଁ ଆମେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛୁ ବୋଲି ମୁଁ ଗର୍ବିତ।
ସମ୍ବିଧାନ ନ୍ୟାୟପାଳିକା ଏବଂ ଆଇନ ନିର୍ମାତାଙ୍କ ମଧ୍ୟରେ କ୍ଷମତା ପୃଥକୀକରଣକୁ ସ୍ୱୀକୃତି ଦିଏ। ଯଦି କାର୍ଯ୍ୟପାଳିକାକୁ ଏହି ଅଧିକାର ଦିଆଯାଏ, ତେବେ ଏହା ସାମ୍ବିଧାନିକ ଗଠନକୁ ଗଭୀର ଭାବରେ ଆଘାତ କରିବ।
ସିଜେଆଇ ଅନୁସୂଚିତ ଜାତିରେ କ୍ରିମି ଲେୟାର ଏବଂ ଉପ-ବର୍ଗୀକରଣ ଉପରେ ତାଙ୍କର ବିବାଦୀୟ ରାୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏହି ରାୟକୁ ମୋ ନିଜ ସମ୍ପ୍ରଦାୟର ଲୋକମାନେ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ତଥାପି, ମୁଁ ସର୍ବଦା ବିଶ୍ୱାସ କରେ ଯେ, ଜନସାଧାରଣଙ୍କ ଇଚ୍ଛା କିମ୍ବା କାହାର ଚାପରେ ନିଷ୍ପତ୍ତି ନିଆଯାଏ ନାହିଁ, ବରଂ ଏହା ଆଇନ ଏବଂ ନିଜ ବିବେକ ଅନୁସାରେ ହେବା ଉଚିତ୍।
ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସିଜେଆଇ କହିଥିଲେ ଯେ, ସାରା ଦେଶରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ ଆଇନ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭିତ୍ତିଭୂମି, ଗୁଣବତ୍ତା ଶିକ୍ଷା ଏବଂ ପାଠ୍ୟକ୍ରମ ଡିଜାଇନରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ତେଣୁ, ଦେଶବ୍ୟାପୀ ଆଇନ ଶିକ୍ଷାକୁ ସୁଦୃଢ଼ ​​କରିବା ଉପରେ ଧ୍ୟାନ ଦିଆଯିବା ଉଚିତ୍।
ଆଇନ ଶିକ୍ଷା ବ୍ୟବସ୍ଥାରେ ଏକ ଆମୂଳଚୂଳ ପରିବର୍ତ୍ତନ ଆସିଛି। କୌଣସି ଛାତ୍ରଛାତ୍ରୀ ତାଙ୍କ ପରୀକ୍ଷା ରାଙ୍କ ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ। କାରଣ ଫଳାଫଳ ଆପଣ କେଉଁ ସ୍ତରର ସଫଳତା ହାସଲ କରିବେ ତାହା ନିର୍ଣ୍ଣୟ କରେ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ଦୃଢ଼ ନିଷ୍ଠା, କଠିନ ପରିଶ୍ରମ, ସମର୍ପଣ ଏବଂ ବୃତ୍ତି ପ୍ରତି ପ୍ରତିବଦ୍ଧତା ହିଁ ସଫଳତା ଆଣି ଦେଇଥାଏ।
ସେ ତାଙ୍କ କଲେଜ ଦିନଗୁଡ଼ିକୁ ମନେ ପକାଇ କହିଲେ ଯେ, ମୁଁ ଜଣେ ମେଧାବୀ ଛାତ୍ର ଥିଲି, କିନ୍ତୁ ପ୍ରାୟତଃ କ୍ଲାସ ଛାଡି ଦେଉଥିଲି। ଯେତେବେଳେ ମୁଁ ମୁମ୍ବାଇର ସରକାରୀ ଆଇନ କଲେଜରେ ପଢୁଥିଲି, ମୁଁ କ୍ଲାସ ଛାଡି କଲେଜ ପରିସରରେ ବସି ରହୁଥିଲି। ମୋର ବନ୍ଧୁମାନେ କ୍ଲାସରେ ମୋର ଉପସ୍ଥାନ ପକାଉଥିଲେ। ଆଇନ ଡିଗ୍ରୀର ଶେଷ ବର୍ଷରେ, ମୋତେ ଅମରାବତୀ ଯିବାକୁ ପଡିଲା କାରଣ ମୋ ବାପା ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ଥିଲେ।
ମୁମ୍ବାଇରେ ଆମର ଘର ନଥିଲା। ଯେତେବେଳେ ମୁଁ ଅମରାବତୀରେ ଥିଲି, ମୁଁ ପ୍ରାୟ କମ୍ ଥର କଲେଜ ଯାଇଥିଲି। ମୋର ଜଣେ ବନ୍ଧୁ, ଯିଏ ପରେ ହାଇକୋର୍ଟ ବିଚାରପତି ହୋଇଥିଲେ, ସେ ମୋର ଉପସ୍ଥାନ ପକାଉ ଥିଲେ। ମୋର ସହପାଠୀ ଯିଏ ପରୀକ୍ଷା ଫଳାଫଳରେ ଟପ୍ କରିଥିଲେ ସେ ଜଣେ ଫୌଜଦାରୀ ଆଇନଜୀବୀ ହୋଇଥିଲେ। ଦ୍ୱିତୀୟ ସ୍ଥାନ ପାଇଥିବା ଛାତ୍ର ଜଣକ ହାଇକୋର୍ଟ ବିଚାରପତି ହୋଇଥିଲେ। ତୃତୀୟ ଜଣକ ମୁଁ ଥିଲି। ମୁଁ ଏବେ ଭାରତର ପ୍ରଧାନ ବିଚାରପତି ହୋଇଛି। ସେଥି ପାଇଁ ରାଙ୍କ ନଇେ ଚିନ୍ତିତ ନହୋଇ ପରିଶ୍ରମ କରିବା ଜରୁରୀ ବୋଲି ସେ କହିଥିଲେ।
Bhushan Ramkrishna Gavai | CJI
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/24/i-passed-in-third-rank-and-became-chief-justice-gavhai-shares-childhood-story-with-special-message-to-students-2025-08-24-13-32-22.jpg)