ଇଂଲଣ୍ଡର ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଖେଳାଯାଇଥିଲା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପର ଫାଇନାଲ ମ୍ୟାଚ୍। ସାମାନ୍ୟ କ୍ରିକେଟ ଜାଣିଥିବା ଯେ କୌଣସି ଛୋଟ ପିଲାକୁ ଯଦି ଏହି ମ୍ୟାଚ୍ ପୂର୍ବରୁ ପଚରାଯାଇଥାନ୍ତା:- ପରିସ୍ଥିତି ଯାହା ଥାଉ ନା କାହିଁକି, କୋଉ ତିନିଜଣଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ନିଶ୍ଚିତ ରଖାଯିବା ଉଚିତ, ଉତ୍ତର ହୋଇଥାନ୍ତା:- ରୋହିତ, ଶୁବମନ ଓ ଅଶ୍ବିନ। କାରଣ ଅତି ସହଜ। ରୋହିତ ଅଧିନାୟକ, ଗିଲ୍ ଚମତ୍କାର ଫର୍ମରେ ଓ ଅଶ୍ବିନ ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ଟେଷ୍ଟ ବୋଲର୍।

Advertisment

ଦ୍ବିତୀୟ ପ୍ରଶ୍ନ, ଆଉ କୋଉ ଚାରିଜଣ ଖେଳାଳିଙ୍କୁ ଏକାଦଶରୁ ବାଦ୍ ଦେବା ସମ୍ଭବ ନୁହେଁ? କ୍ରିକେଟରେ ରୁଚି ରଖୁଥିବା ଯେ କେହି ଏହି ପ୍ରଶ୍ନଟିର ଉତ୍ତରରେ କହିବେ:- (୧)କୋହଲି ଅନ୍ୟତମ ସର୍ବକାଳୀନ ମହାନତମ ବ୍ୟାଟର୍‌। ଅବସର ପୂର୍ବରୁ ତାଙ୍କ ଟେଷ୍ଟ ବ୍ୟାଟିଂ ଆଭରେଜ୍‌କୁ ପୁଣି ୫୦ ଉପରକୁ ଉଠାଇବାକୁ ଏପରି ମହାନ ଖେଳାଳିଙ୍କୁ ଯେତେ ସୁଯୋଗ ଦେଲେ ବି କମ୍ ହେବ। (୨)ଦ୍ରାବିଡ୍‌ଙ୍କ ଭଳି ସେତେଟା ନିର୍ଭରଯୋଗ୍ୟ ନହେଲେ ବି ପୂଜାରା ଢେର୍ ଦିନରୁ ଯାଇ ଇଂଲଣ୍ଡରେ କାଉଣ୍ଟି ଖେଳୁଛନ୍ତି, ରନ୍ କରୁଛନ୍ତି। ତେଣୁ ସେ ବି ରୁହନ୍ତୁ। (୩)ଜାଦେଜା ବିଭିନ୍ନ ଫର୍ମାଟରେ ଜଣେ ମ୍ୟାଚ୍‌ବିଜୟୀ ସ୍ପିନର୍‌-ଅଲ୍‌ରାଉଣ୍ଡର, ତେଣୁ ତାଙ୍କୁ ରଖାଯିବ। (୪)ପୂର୍ବ ଅଭିଜ୍ଞତା ଓ ସଦ୍ୟସମାପ୍ତ ଆଇପିଏଲ୍‌ରେ ରାହାଣେଙ୍କ ଫର୍ମ ଦୃଷ୍ଟିରୁ ତାଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ଦେବାରେ ଅସୁବିଧା ନ ଥିଲା, ଯଦିଓ ତାଙ୍କଠାରୁ ଅଧିକ ଭଲ ବ୍ୟାଟର୍ ଦଳରେ ସ୍ଥାନ ପାଇନଥିବା କୁହାଯାଉଥିଲା। ଉପରୋକ୍ତ ସାତ ଜଣଙ୍କ ଛଡ଼ା ଆଉ ଯାହା ପାଇଁ ଚୟନକର୍ତ୍ତା ଯେତେ ପାଣ୍ଡିତ୍ୟ ଦେଖାଇଲେ ବି କାହାର କିଛି କହିବାର ନଥିଲା।

publive-image

ବୁମ୍‌ରାଙ୍କ ଅନୁପସ୍ଥିତିରେ ସାମି, ସିରାଜ ଓ ଯାଦବଙ୍କ ମଧ୍ୟରୁ ଜଣେ ଦୁଇଜଣ ତ ଖେଳିବେ ହିଁ ଖେଳିବେ। ତାହାବୋଲି କୁମ୍ବଲେ, କପିଳଦେବଙ୍କ ପରି ମହାନ ବୋଲରଙ୍କୁ ପଛରେ ଛାଡ଼ି ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହେବାକୁ ଯାଉଥିବା ତଥା ବିଶ୍ବ ମାନ୍ୟତାର ଏବେ ଶୀର୍ଷରେ ଥିବା ଅଶ୍ବିନ୍‌ଙ୍କୁ କାହିଁକି ବସାଯିବ? ପ୍ରଦତ୍ତ ସାରଣୀଟି ବହୁତ କଥା କହେ। ବିଡ଼ମ୍ବନା ହେଲା, କୋହଲିଙ୍କ ସହ ତାଙ୍କର ଅପଡ଼ ଯୋଗୁଁ କୋହଲି-ଶାସ୍ତ୍ରୀ ଟିଙ୍ଗା ଯୋଡ଼ି ତାଙ୍କୁ ଇଚ୍ଛା କଲେ ବସେଇଦେଉଥିଲେ। ହେଲେ ଅପେକ୍ଷାକୃତ ଥଣ୍ଡା ରୋହିତ-ଦ୍ରାବିଡ଼୍ ଯୋଡ଼ି ବି ସେଇ ସମାନ ଭୁଲ୍ କରୁଛନ୍ତି କାହିଁକି? ଯେଉଁ ବୋଲର୍ କିଂବଦନ୍ତି ବୋଲର୍ ମୁରଲୀଥରନ ଓ ସେନ୍‌ ୱର୍ଣ୍ଣଙ୍କ ରେକର୍ଡ ସହ ତାଳ ଦେଇ ୱିକେଟ୍ ନେଇ ଚାଲିଛନ୍ତି, ତାଙ୍କୁ ପିଚ୍‌ରେ ଘାସ ଥିବା ବାହାନା କରି ବସାଇବା ପାଣ୍ଡିତ୍ୟ ନା ମୂର୍ଖାମୀ? ଟେଷ୍ଟ କ୍ରିକେଟରେ ୫ଟି ଶତକ ଜମାଇଥିବା ଅଶ୍ବିନ ନିମ୍ନ ମଧ୍ୟକ୍ରମରେ କେତେ ଉପଯୋଗୀ ସାବ୍ୟସ୍ତ ହୁଅନ୍ତି ତାହା କ’ଣ ଚୟନକର୍ତ୍ତା ଓ ରୋହିତ-ଦ୍ରାବିଡ୍‌ଙ୍କ ଭଳି ବିଜ୍ଞ ବ୍ୟକ୍ତିମାନଙ୍କୁ ବୁଝାଇବାକୁ ପଡ଼ିବ?

publive-image

ଅଶ୍ବିନଙ୍କୁ ବାଦ୍‌ ଦିଆଯିବାର କାରଣ ତାଙ୍କ ଦୁର୍ବଳ(?) ପ୍ରଦର୍ଶନ ନା ତାଙ୍କ ସ୍ପଷ୍ଟବାଦିତା? ଆଉ ଏକ ବଡ଼ ପ୍ରଶ୍ନ, ଭରତଙ୍କଠାରୁ ଭଲ ୱିକେଟକିପର୍‌-ବ୍ୟାଟର୍ ଅଛନ୍ତି ନା ନାହାନ୍ତି? ଯେତେବେଳେ ବୁମ୍‌ରା ଓ ପନ୍ତ ବାହାରେ, ଯେତେବେଳେ ଅଶ୍ବିନଙ୍କୁ ବସେଇଦିଆଯାଉଛି, ସେତେବେଳେ ଅତି କମ୍‌ରେ ବ୍ୟାଟିଂକ୍ରମକୁ ଦୃଢ଼ କରାଯିବା ଉଚିତ ନୁହେଁ କି? ସୂର୍ଯ୍ୟକୁମାର, ଗାଏକ୍ବାଡ, ଜୟସ୍ବାଲ, ମୟଙ୍କ, ପୃଥ୍ବୀ ସ’, ଦୁଇ ଆୟାର ଶ୍ରେୟସ ଓ ଭେଙ୍କଟେଶ, ସାମସନ ପ୍ରମୁଖଙ୍କ କଥା ପଡ଼ିଲେ ଆମ ବିଜ୍ଞ ଚୟନକର୍ତ୍ତାମାନେ କହିବେ, ଏମାନେ ସବୁ ସୀମିତ ଓଭର ଖେଳାଳି। ଟେଷ୍ଟ ଆପ୍‌ଟିଚ୍ୟୁଡ଼୍ ନାହିଁ। ପ୍ରଶ୍ନ ହେଲା, ଯିଏ ସୀମିତ ଓଭର୍‌ରେ ମଧ୍ୟ ରନ୍ କରିପାରୁନାହିଁ, ତା’ର ଟେଷ୍ଟ ଆପ୍‌ଟିଚ୍ୟୁଡ୍ ଅଛି ବୋଲି କୁହାଯାଇପାରିବ ତ? ଆମ ବିଜ୍ଞ ଚୟନକର୍ତ୍ତାମାନଙ୍କୁ ଯଥାର୍ଥରେ ମହିନ୍ଦର ଅମରନାଥ ଥରେ ‘ବଞ୍ଚ୍ ଅଫ୍ ଜୋକର୍ସ’ ବୋଲି କହିଥିଲେ।