ପ୍ରତିମୂର୍ତ୍ତି ବିକୃତ ହେବା ପରେ ମନେ ପଡ଼ିଲେ, ବଙ୍ଗଳା ଦୁର୍ଭିକ୍ଷର କାରଣ ଥିଲେ ଚର୍ଚ୍ଚିଲ୍

ଲଣ୍ତନ: ଲଣ୍ତନର ପାର୍ଲାମେଣ୍ଟ୍ ଛକ ଉପରେ ସ୍ଥାପିତ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତିକୁ ରବିବାର କେହି ବିକୃତ କରିଦେଇଛି। ଏପରିକି ତାଙ୍କ ପ୍ରତିମୂର୍ତ୍ତି ତଳେ ସେ ଜଣେ ବର୍ଣ୍ଣବୈଷମ୍ୟବାଦୀ ବୋଲି ଉଲ୍ଲେଖ କରାଯିବା ସହ ତାଙ୍କ ଅଣ୍ଟାରେ ବନ୍ଧାଯାଇଥିବା ଏକ କାର୍ଡବୋର୍ଡରେ ‘କୃଷ୍ଣକାୟଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ’ ବୋଲି ମଧ୍ୟ ଉଲ୍ଲେଖ ରହିଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ପେସାରେ ଜଣେ ସାମରିକ ଅଧିକାରୀ ଥିବା ଚର୍ଚ୍ଚିଲ୍ ୧୯୪୦ରୁ ୧୯୪୫ ଯାଏ ଯୁକ୍ତରାଜ୍ୟ ବା ୟୁକେର ପ୍ରଧାନମନ୍ତ୍ରୀ ଥିବା ଅବସରରେ ତାଙ୍କ ନେତୃତ୍ବରେ ଦେଶ ଦ୍ବିତୀୟ ବିଶ୍ବଯୁଦ୍ଧ ଜିତିଥିଲା। ପରେ ୧୯୫୧ରୁ ୧୯୫୫ ଯାଏ ମଧ୍ୟ ସେ ଦ୍ବିତୀୟ ଥର ଲାଗି ୟୁକେର ପ୍ରଧାନମନ୍ତ୍ରୀ ଥିଲେ। ସୁତରାଂ ତାଙ୍କର ପ୍ରତିମୂର୍ତିକୁ ଏଭଳି ବିକୃତ କରିବା ଘଟଣାକୁ ନେଇ ଟ୍ବିଟରରେ ତର୍କବିତର୍କ ଆରମ୍ଭ ହୋଇଯାଇଛି। କେହି କେହି ଏଭଳି ବିରଳ କୃତିର ବିକୃତୀକରଣକୁ ନିନ୍ଦା କରିଥିବା ବେଳେ ଐତିହାସିକ ଦୃଷ୍ଟିରୁ ଏଭଳି କାର୍ଯ୍ୟ ଆଦୌ ଭୁଲ୍ ନୁହେଁ ବୋଲି କେହି କେହି କହିଛନ୍ତି। ଏହି ଅବସରରେ ୧୯୪୩ ମସିହାରେ ଭାରତର ବଙ୍ଗ ପ୍ରଦେଶ(ବର୍ତ୍ତମାନର ପଶ୍ଚିମବଙ୍ଗ ଓ ବାଂଲାଦେଶ)ରେ ୨୦ ଲକ୍ଷରୁ ୩୦ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଅତିଶୟ ଦୁର୍ଭିକ୍ଷ କଥା ମନେ ପକାଇ କେହି କେହି ଏଥିପାଇଁ ଚର୍ଚ୍ଚିଲଙ୍କୁ ହିଁ ଦାୟୀ କରିଛନ୍ତି। ତାଙ୍କ ଆପରାଧିକ କାର୍ଯ୍ୟର ସିଧାସଳଖ ପରିଣତି ସ୍ବରୂପ ବଙ୍ଗ ଦୁର୍ଭିକ୍ଷରେ ଏତେ ଲୋକଙ୍କ ଜୀବନ ଗଲା। ଏ କଥା କ’ଣ ୟୁକେ ପାଠ୍ୟକ୍ରମର ଉପନିବେଶବାଦୀ ଇତିହାସରେ ସ୍ଥାନ ପାଇବ ବୋଲି କେହି କେହି ପ୍ରଶ୍ନ କରିଛନ୍ତି। ଭାରତୀୟମାନଙ୍କୁ ଚର୍ଚ୍ଚିଲ୍ କୁଆେଡ଼ ଘୃଣା କରୁଥିଲେ ବୋଲି ସ୍ବୀକାର କରିବା ସହ ଗୋଟେ ପଶୁ ସଂସ୍କୃତି ନେଇ ଚଳୁଥିବା ପଶୁମାନଙ୍କୁ ସେ ଖାତିର କରନ୍ତି ନାହିଁ ବୋଲି କହିଥିଲେ। ଏପରିକି ଦୁର୍ଭିକ୍ଷ ବେଳେ ସେ ଭାରତରେ ଲକ୍ଷ ଲକ୍ଷ ଟନ୍ ଚାଉଳ ଜବତ କରି ମଧ୍ୟ ପ୍ରାଚ୍ୟକୁ ପଠାଇଦେବା ସହ ଠେକୁଆ ପରି ବଂଶବୃଦ୍ଧି କରୁଥିବା ଭାରତୀୟମାନେ ନିଜ ଭୁଲ୍ ପାଇଁ ସେମିତି ପୋକମାଛି ପରି ମରନ୍ତୁ ବୋଲି ଟିପ୍ପଣୀ କରିଥିବା କଥା ଟ୍ବିଟରରେ କେହି କେହି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର