ମୁଁ ଚାହା ବିକିଛି କିନ୍ତୁ ଦେଶକୁ ବିକୁନି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘ମୋର ବିନମ୍ରତା ପାଇଁ ସବୁବେଳେ ବିରୋଧୀ ମୋର ଅବମାନନା କରୁଛନ୍ତି। ମୁଁ ଏକ ଗରିବ ପିଲା ହୋଇଥିବାରୁ କଂଗ୍ରେସ ମୋତେ ନାପସନ୍ଦ କରୁଛି। କୋଉ ଦଳ କ’ଣ ଏତେ ନୀଚ ହେବା ଉଚିତ? ହଁ, ସେଇ ଗରିବ ପିଲା ଆଜି ଦେଶର ପ୍ରଧାନମନ୍ତ୍ରୀ। ମୁଁ ଚା’ ବିକିଛି କିନ୍ତୁ ମୋ ଦେଶକୁ ବିକ୍ରି କରିନାହିଁ।’ ଗୁଜୁରାଟରେ ହୋଇଥିବା ରାଲିରେ ମୋଦି ଏପରି ବକ୍ତବ୍ୟ ରଖିଛନ୍ତି।

କଂଗ୍ରେସ ଦଳର ଯୁବ ଶାଖା ‘ଯୁବ ଦେଶ’ ମୋଦିଙ୍କ ସଂପର୍କରେ ଏକ ଆପତ୍ତିଜନକ ଟୁଇଟ୍‌ କରିବା ପରେ ମୋଦି ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଏପରି ମନ୍ତବ୍ୟ ଦେଇଛନ୍ତି। ‘ଯୁବ ଦେଶ’ ପକ୍ଷରୁ ମୋଦି ପୂର୍ବରୁ ଚା’ ବିକାଳି ହୋଇଥିବାରୁ କଟାକ୍ଷ କରାଯାଇ ଏକ ଟୁଇଟ୍‌ କରାଯାଇଥିଲା। ଟୁଇଟ୍‌ ହୋଇଥିବା ଫଟୋଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଏବଂ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ଦେଖିବାକୁ ମିଳିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ବି କହିଛନ୍ତି, ‘ଗତ ୨ ମାସ ହେବ କଂଗ୍ରେସ ନିଜର ରାଜନୈତିକ ପ୍ରଭାବ ବଢ଼ାଇବା ପାଇଁ ବାରମ୍ବାର ଗୁଜୁରାଟର ଏହି ଗରିବ ପୁଅକୁ ଅପମାନିତ କରୁଛନ୍ତି। ବିରୋଧୀମାନେ ଥରେ ଗୁଜୁରାଟ ଆସି ତା’ ପୁଅ ବିରୋଧରେ ପଦୁଟିଏ କହିକି ଯାଅ ତ! ଗୁଜୁରାଟର ଜଣେ ବି କେହି ଏହା ବର୍ଦାସ୍ତ କରିବେ ନାହିଁ।’

ବାରମ୍ବାର ଗୁଜୁରାଟକୁ ନେଇ ଆପତ୍ତିଜନକ ମତ ଦେବା ଦ୍ୱାରା ସେ ଯେ କେବଳ ମୋଦିଙ୍କୁ ଅପମାନ କରୁଛନ୍ତି ତାହା ନୁହେଁ। ବରଂ ଏହା ଦ୍ୱାରା ସର୍ଦାର ପଟେଲ ଏବଂ ମୋରାଜୀ ଦେଶାଇଙ୍କୁ ମଧ୍ୟ ଅପମାନିତ କରିଛନ୍ତି। କାରଣ ଏହି ୨ ଜଣ ମଧ୍ୟ ଗୁଜୁରାଟର ସନ୍ତାନ। କୌଣସି ଦଳ ଗୋଟାଏ ପରିବାରକୁ ନେଇ ହୁଏ ନାହିଁ। ଗୋଟିଏ ଦଳ ପାଇଁ ସାମୂହିକ ସହାୟତା ଦରକାର ବୋଲି ମୋଦି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର