ବେଆଇନ ସମ୍ପତ୍ତି ଠୁଳ ମାମଲାରେ ରୋବର୍ଟ ଭଦ୍ରାଙ୍କ ଘରେ ପହଞ୍ଚିଲା ଆୟକର ବିଭ‌ାଗ, କରାଗଲା ବୟାନ ରେକର୍ଡ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଦିଲ୍ଲୀସ୍ଥିତ ଘରେ ଆୟକର ବିଭାଗର ଏକ ଟିମ୍ ପହଞ୍ଚି ଛାନଭିନ୍ କରିଛି । ପୂର୍ବରୁ ବେନାମୀ ସଂପତ୍ତି କିଣିବା ମାମଲାରେ ତାଙ୍କୁ ଆୟକର ବିଭାଗ ନୋଟିସ୍ କରିଥିଲା । ତେବେ କରୋନା ମହାମାରୀ ଯୋଗୁଁ ସେ ଆୟକର ବିଭାଗରେ ହାଜର ହୋଇପାରି ନ ଥିଲେ ।

ଆଜି ଏହି ମାମଲାରେ ତାଙ୍କ ବାସଭବନରେ ପହଞ୍ଚି  ଆୟକର ବିଭାଗ ତାଙ୍କ ବୟାନ ରେକର୍ଡ କରୁଛି । ଲଣ୍ଡନରେ ଏକ ସଂପତ୍ତି କିଣିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଲଣ୍ଡନର ବ୍ରାୟନଷ୍ଟେନ୍ ସ୍କୋୟାରରେ ଭଦ୍ରା ୧.୯ ନିୟୁତ ପାଉଣ୍ଡ ମୂଲ୍ୟର ବେନାମୀ ସଂପତ୍ତି କିଣିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଆସିବା ପରେ ଭଦ୍ରା ଗିରଫଦାରୀ ଏଡ଼ାଇବାକୁ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଏବଂ ଏହା ମଞ୍ଜୁର ହୋଇଥିଲା।  ଏହି ମାମଲା ସହ ଆୟକର ବିଭାଗ ପକ୍ଷରୁ ଭଦ୍ରାଙ୍କୁ ଫରିଦାବାଦ ଓ ବିକାନେର ଜମି ଦୁର୍ନୀତି ସଂପର୍କରେ ମଧ୍ୟ ପଚରାଯାଇଥିବା ସୂଚନା ରହିଛି । ଭଦ୍ରାଙ୍କ ମାଲିକାନାରେ ଥିବା ସନଲାଇଟ୍ ହସ୍ପିଟାଲିଟି ଏହି ଦୁଇ ସହରରେ ଜମି ଦୁର୍ନୀତିରେ ଲିପ୍ତଥିବା ଅଭିାଯାଗ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କ ନାମରେ ବେଆଇନ ସଂପତ୍ତି ଠୁଳ କରିଥିବା ନେଇ ମାମଲା ଚାଲିଛି । ଅତୀତରେ ଭଦ୍ରା ନିଜ ନାମରେ ଆସିଥିବା ଏପରି ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ କଂଗ୍ରେସ ଦଳ ଏହାକୁ ଏକ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କହିଛି।

ସମ୍ବନ୍ଧିତ ଖବର