ତାମିଲନାଡୁରେ ଆୟକର ଚଢ଼ାଉ: ୩ଶହ ଗାଡ଼ିରେ‘ ଶ୍ରିନି େଓ୍ଵଡ୍ସ ମାହି’ ଷ୍ଟିକର ଲଗାଇଥିଲେ ଆୟକର ଅଧିକାରୀ

ଚେନ୍ନାଇ: ଟିକସ ଫାଙ୍କି ନେଇ ତାମିଲନାଡୁର ଆଞ୍ଚଳିକ ଟିଭି ଚାନେଲ ଜୟା ଟିଭିର ଚେନାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇଥିଲା।ଏତଦ୍‌ବ୍ୟତୀତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟ ଲଲିତାଙ୍କ କୋଦଣ୍ଡ ଇଷ୍ଟେଟ୍‌, ଜେଲରେ ଥିବା ଏଆଇଏଡିଏମକେର ବିବାଦୀୟ ନେତ୍ରୀ ଭି କେ ଶଶୀକଳା ଓ ତାଙ୍କ ସମର୍ଥକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଥିଲା। ତେବେ ଏ ନେଇ କେହି ସୁରାକ ମଧ୍ୟ ପାଇ ପାରି ନ ଥିଲେ। ଏହି ଚଢ଼ାଉକୁ ଗୁପ୍ତ ରଖିବା ପାଇଁ ଆୟକର ବିଭାଗ ପକ୍ଷରୁ ଏକ ଅଭିନବ ପନ୍ଥାର ଆଶ୍ରୟ ନିଆଯାଇଥିଲା। ଶହଶହ ସଂଖ୍ୟାରେ ୪ ଚକିଆ ଗାଡ଼ି ଦୃତଗତିରେ ଗଲେ ସନ୍ଦେହ ସୃଷ୍ଟି ହେବ ବୋଲି ଆଶଙ୍କା କରି ଆୟକର ବିଭାଗ ପକ୍ଷରୁ ଏହାକୁ ଏକ ବାହାଘର ପାର୍ଟିର ଭ୍ରମ ସୃଷ୍ଟି କରାଯାଇଥିିଲା। ‘ଶ୍ରିନି େଓ୍ଵଡ୍ସ ମାହି’ ପୋଷ୍ଟର ଲଗାଯାଇଥିବା ଗାଡ଼ିଗୁଡ଼ିରେ ଆୟକର ବିଭାଗର ଅଧିକାରୀମାନେ ବସି ତାମିଲନାଡୁର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥଲେ।
ସୂଚନାଯୋଗ୍ୟ ଯେ ଗତକାଲି ଯେଉଁ ଚଢ଼ାଉ ହୋଇଥିଲା, ତାହା ମୁଖ୍ୟତ ବିବାଦୀୟ ଏଆଏଡିଏମକେ ନେତ୍ରୀ ଶଶୀକଳା ଓ ତାଙ୍କ ସମ୍ପର୍କୀୟଙ୍କ ଘର ଓ ଅଫିସରେ କରାଯାଇଥିଲା। ଶଶୀକଳାଙ୍କ ସ୍ୱାମୀ ଏମ ନଟରାଜନଙ୍କ ତାଞ୍ଜାଭୁରସ୍ଥିତ ବାସଭବନରେ ମଧ୍ୟ ଆୟକର ଚଢ଼ାଉ କରାଯାଇଥିଲା। ଦଳରୁ ବହିଷ୍କୃତ ଏଆଇଏଡିଏମକେ ନେତା ଟିଟିଭି ଦିନାକରନଙ୍କ ମନ୍ନାଇନଗର, ଶଶୀକଳାଙ୍କ ଭାଇ ଦିବାକରନଙ୍କ ସୁନ୍ଦରାକୋଟ୍ଟାଇ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଏଥିପାଇଁ ଆୟକର ବିଭାଗ ପ୍ରାୟ ୩ଶହ ଗାଡ଼ି (କାର) ଏକ ଟ୍ରାଭେଲ ଏଜେନ୍ସି ଠାରୁ ଭଡ଼ାରେ ଅଣାଯାଇଥିଲା। ସବୁ ଗାଡ଼ି ଆଗରେ ଓ ପଛରେ ‘ ଶ୍ରିନି େଓ୍ଵଡ୍ସ ମାହି’ ଷ୍ଟିକର ଲାଗିଥିଲା। ସେହିପରି କୌଣସି ଗାଡ଼ିର ଡ୍ରାଇଭରଙ୍କୁ ମୋବାଇଲ ଫୋନ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ନ ଥିଲା। ଡ୍ରାଇଭରମାନେ ଆୟକର ଅଧିକାରୀମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ସାରିବା ପରେ ହିଁ ସେମାନଙ୍କୁ ସେମାନଙ୍କ ମୋବାଇଲ ଫୋନ୍‌ ଆୟକର ଅଧିକାରୀମାନେ ହସ୍ତାନ୍ତର କରିଥିଲେ। ଆୟକର ବିଭାଗର ୨୦ରୁ ଊର୍ଧ୍ୱ ଅଧିକାରୀ କେବଳ ଜୟାଟିଭି କାର୍ଯ୍ୟାଳୟ ଓ ଏଆଇଏଡିଏମକେ ମୁଖପତ୍ର ଡ. ନମାଧୁ ଏମଜିଆର ଚଢ଼ାଉରେ ନିୟୋଜିତ ହୋଇଥିଲେ।। ପୂର୍ବରୁ ଆୟକର ଚଢ଼ାଉ ବେଳେ ସିଆରପିଏପ ମୂତୟନ କରାଯାଉଥିବା ବେଳେ ଏଥର ତାମିଲନାଡୁ ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଯଦିଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଦ୍ୱାରା ଜୟା ଟିଭି ପ୍ରତିଷ୍ଠା କରାଯାଇଥିଲା ମାତ୍ର ଜୟା ଟିଭି ଓ ଜାଜ୍‌ ସିନେମାକୁ ଏବେ ଶଶୀକଳାଙ୍କୁ ପୁତୁରା ବିବେକ ଜୟରମନ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଶ୍ରୀ ଜୟକୁମାରଙ୍କ ଘରେ ମଧ୍ୟ ଆୟକର ଚଢ଼ାଉ କରାଯାଇଥିଲା।

ସମ୍ବନ୍ଧିତ ଖବର