କଂଗ୍ରେସ ପୁଣି ଥରେ ପୂର୍ବ ଭଳି ମଜବୁତ ହେଉ ବୋଲି ମୁଁ ଚାହେଁ, କାରଣ….: ନିତିନ ଗଡକରୀ

ମୁମ୍ବାଇ: ନେତା କଂଗ୍ରେସ ନଛାଡ଼ନ୍ତୁ, ପୁଣି ମଜବୁତ ହେଉ ଦଳ; କିଛି ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନିତିନ ଗଡକରୀ। ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଦେଇଥିବା ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାରେ। ଜଣେ ଶକ୍ତିଶାଳୀ ବିଜେପି ନେତା ଭାବେ ଜଣାଶୁଣା ନିତିନ ଗଡକରୀ କଂଗ୍ରେସ ପାଇଁ ଏଭଳି ସହାନୁଭୂତି ଦେଖାଇବାକୁ କେହି ସହଜରେ ହଜମ କରିପାରୁନାହାନ୍ତି।

ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ଗଣତନ୍ତ୍ର ପାଇଁ ଏକ କଂଗ୍ରେସ ଦୃଢ଼ ରହିବା ଆବଶ୍ୟକ। ଲଗାତାର ନିର୍ବାଚନରେ ​​ହାରିଥିବା କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେଉ ଏବଂ ଦଳର ନେତାମାନେ ନିରାଶ ହୋଇ ଦଳ ଛାଡନ୍ତୁ ନାହିଁ। ଏକ ଦୁର୍ବଳ କଂଗ୍ରେସର ଅର୍ଥ ହେଉଛି ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ବିରୋଧୀ ଦଳକୁ ବଦଳାଉଛନ୍ତି, ଯାହା ଏକ ଭଲ ସଙ୍କେତ ନୁହେଁ।

ଶନିବାର ଲୋକମତ୍ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ଦୁଇଟି ଚକକୁ ନେଇ ଚାଲିଥାଏ, ତାହା ହେଉଛି ଶାସନ ବ୍ୟବସ୍ଥା ଏବଂ ବିରୋଧୀ । ଗଣତନ୍ତ୍ର ପାଇଁ ମଜବୁତ ବିରୋଧୀ ରହିବ ଅତ୍ୟନ୍ତ ଜରୁରୀ। ତେଣୁ କଂଗ୍ରେସ ଦୃଢ଼ ହେଉ ବୋଲି ମୋର ଇଚ୍ଛା। ଏଥି ସହିତ କଂଗ୍ରେସ ଦୁର୍ବଳ ଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହାର ସ୍ଥାନ ଗ୍ରହଣ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଉଚିତ୍।

ସମ୍ବନ୍ଧିତ ଖବର