ନୂଆଦିଲ୍ଲୀ : ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଆଜି ଚୀନ୍ର ଏକଛତ୍ରବାଦୀ କମ୍ୟୁନିଷ୍ଟ୍ ସରକାରକୁ କଡ଼ା ସମାଲୋଚନା କରିଥିବା ବେଳେ ଭାରତର ଗଣତନ୍ତ୍ରକୁ ଭୂୟସୀ ପ୍ରଶଂସା କରିଛନ୍ତି। ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ତାଙ୍କ ବାସଭବନରେ ସେ ଭାରତକୁ ନେଇ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ଆମେରିକାର ଶାନ୍ତି ପ୍ରତିଷ୍ଠାନ (ୟୁଏସ୍ଆଇପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଲାଇ ଲାମା କହିଛନ୍ତି ଯେ ସେ ଦୁର୍ନୀତିଗ୍ରସ୍ତ ଏବଂ ଅରାଜକବାଦୀ ଚୀନ୍ ଅଧିକାରୀଙ୍କ ମଧ୍ୟରେ ନୁହେଁ ବରଂ ଭାରତର ଖୋଲା ଗଣତନ୍ତ୍ରରେ ଶେଷ ନିଶ୍ୱାସ ନେବାକୁ ପସନ୍ଦ କରିବେ। ଦଲାଇ ଲାମା ତାଙ୍କ ଉଦ୍ବୋଧନରେ କହିଥିଲେ, ମୁଁ ଏକ ମୁକ୍ତ ଏବଂ ଖୋଲା ଗଣତନ୍ତ୍ରରେ, ଭାରତର ପ୍ରକୃତ ଏବଂ ସ୍ନେହପୂର୍ଣ୍ଣ ଲୋକମାନଙ୍କ ମଧ୍ୟରେ ଶେଷ ନିଶ୍ୱାସ ନେବାକୁ ଚାହୁଛି। ସେ କହିଛନ୍ତି, ମୁଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କହିଥିଲି ଯେ ମୁଁ ଆଉ ୧୫-୨୦ ବର୍ଷ ଅଧିକ ବଞ୍ଚିବି। ଶେଷ ସମୟରେ ମୁଁ ଭାରତରେ ହିଁ ରହିବାକୁ ପସନ୍ଦ କରିବି । ଭାରତୀୟମାନେ ପ୍ରକୃତ ସ୍ନେହ, ପ୍ରେମ ଜାଣନ୍ତି। ଏଠାରେ ନକଲି କିଛି ନାହିଁ । ଦଲାଇ ଲାମା କହିଛନ୍ତି ଯେ ଯଦି ମୁଁ ଚୀନ୍ ଅଧିକାରୀଙ୍କ ମଧ୍ୟରେ ମରିଯାଏ, ତେବେ ଏହା ବହୁତ କୃତ୍ରିମ ହେବ। ତେଣୁ ମୁଁ ଭାରତର ମୁକ୍ତ ଗଣତନ୍ତ୍ରରେ ହିଁ ଶେଷ ନିଶ୍ବାସ ନେବାକୁ ପସନ୍ଦ କରିବି ବୋଲି ସେ କହିଛନ୍ତି।
ଦଲାଇ ଲାମା ଏକ ଫେସବୁକ୍ ଭିଡିଓରେ କହିଛନ୍ତି, ମୃତ୍ୟୁ ସମୟରେ ତୁମେ ଏପରି ବନ୍ଧୁମାନଙ୍କ ଦ୍ୱାରା ଘେରି ରହିବା ଉଚିତ ଯେଉଁମାନେ ପ୍ରକୃତରେ ତୁମ ପାଇଁ ଅସଲି ଭାବନା ଦେଖାନ୍ତି । ଭାରତର ଆଭିମୁଖ୍ୟ ତାଙ୍କ ପ୍ରତି ସର୍ବଦା ନ୍ୟାୟପୂର୍ଣ୍ଣ ରହିଛି। ଭାରତର ଲୋକମାନେ ତାଙ୍କୁ ହୃଦୟରୁ ସମ୍ମାନ କରନ୍ତି ବୋଲି ଦଲାଇ ଲାମା କହିଛନ୍ତି।