ଲକ୍ଷ୍ନୌ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଦିନ କଂଗ୍ରେସକୁ ବିଜେପି ସହ ଯୋଡ଼ିଛନ୍ତି। ଅଖିଳେଶ କହିଛନ୍ତି, କଂଗ୍ରେସ ଏବଂ ବିଜେପି ଗୋଟିଏ ବିଚାରଧାରାର। କିନ୍ତୁ ବିଜେପି ଏବଂ କଂଗ୍ରେସ ଦଳର ନୀତିଠାରୁ ଆମ ନୀତି ଭିନ୍ନ ବୋଲି ଅଖିଳେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବା ସଂକ୍ରାନ୍ତ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ‌ଅଖିଳେଶ କହିଛନ୍ତି, ସେମାନଙ୍କ ଯାତ୍ରା ପ୍ରତି ଆମର ଆବେଗିକ ସମର୍ଥନ ରହିଛି। କିନ୍ତୁ ମତେ ଏଥିପାଇଁ ଆମନ୍ତ୍ରଣ କରାଯାଇନି। ଜଣେ ସାମ୍ବାଦିକ ଅଖିଳେଶଙ୍କୁ ଏନେଇ ପ୍ରଶ୍ନ କରିବା ବେଳେ ଅଖିଳେଶ କହିଥିଲେ, ଯଦି ଏ ସଂକ୍ରାନ୍ତ କୌଣସି ନିମନ୍ତ୍ରଣ ତାଙ୍କ ଫୋନ୍‌ରେ ଅଛି ତେବେ ଏହାକୁ ସେ ତାଙ୍କ ନିକଟକୁ ପଠାନ୍ତୁ। ଭାରତ ଯୋଡ଼ୋ ଯାତ୍ରା ଏବେ ସାମୟିକ ଭାବେ ବନ୍ଦ ଅଛି। ତେବେ ଜାନୁଆରି ୩ରେ ଯାତ୍ରା ଦିଲ୍ଲୀରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶରେ ପ୍ରବେଶ କରିବ। କଂଗ୍ରେସ ଯାତ୍ରା ପାଇଁ ବିଏସ୍‌ପି ଏବଂ ଆର୍‌ଏଲଡି ସମେତ ଅନେକ ଅଣ ବିଜେପି ଦଳକୁ ଆମନ୍ତ୍ରଣ କରିଥିବା କହିଛି।