‘ହାଇକମାଣ୍ଡଙ୍କୁ ଜଣାଇବି’ : ଡ. ଏ ଚେଲ୍ଲାକୁମାର

ନିରଞ୍ଜନଙ୍କ ଉପରେ ଆକ୍ରମଣ ଘଟଣା

ନୂଆଦିଲ୍ଲୀ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ଦଳର ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲାକୁମାର। ଘଟଣା ସମ୍ପର୍କରେ ସେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ, ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଇବେ ବୋଲି ‘ସମ୍ବାଦ’କୁ କହିଛନ୍ତି।

କଡ଼ାଭାଷାରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଚେଲ୍ଲାକୁମାର କହିଛନ୍ତି ଯେ ‘ଏହି ଘଟଣାରେ ଯୁବମୋର୍ଚ୍ଚାର ଜଣେ କର୍ମକର୍ତ୍ତାଙ୍କ ନଁା ସାମ୍‌ନାକୁ ଆସିବା ପରେ ବିଜେପିର ଅସଲ ରୂପ କ’ଣ ଜଣାପଡ଼ିଛି। ବିଜେପି ନୀତି, ଆଦର୍ଶ, ଆଇନଶୃଙ୍ଖଳା ଭଳି ଅନେକ କଥା କହୁଛି। ହେଲେ, ଏହି ଦଳର ନୀତିଆଦର୍ଶ କ’ଣ ଏହି ଘଟଣାରେ ଜନସାଧାରଣ ଜାଣିପାରିଛନ୍ତି।’ ସେ ଆହୁରି ମଧ୍ୟ କହିଛନ୍ତି ‌ଯେ ‘ଦେଶର ଆଜି ଅବସ୍ଥା ଏମିତି ହୋଇଯାଇଛି ଯେ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉଠାଇଲେ ବିଜେପି ଇଡି ଓ ସିବିଆଇକୁ ଢାଲ କରି କଂଗ୍ରେସ ନେତାଙ୍କୁ ହଇରାଣ ହରକତ କରୁଛି। କଂଗ୍ରେସ ନେତାଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଉଛି।’ ‘ନିରଞ୍ଜନ ରାଜ୍ୟର ଜଣେ ପରିଚିତ, ପୁରୁଖା ତଥା ସମ୍ମାନସ୍ପଦ ରାଜନୀତିଜ୍ଞ। ତାଙ୍କ ପରି ଜଣେ ପ‌ରୋପକାରୀ ନେତାଙ୍କ ଉପରେ ଆକ୍ରମଣ ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ’ ବୋଲି ଚେଲ୍ଲାକୁମାର କହିଛନ୍ତି। ଏଥିସହିତ, ରାଜ୍ୟସରକାର ଘଟଣାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଭାରୀ ସେ ଦାବି କରିଛନ୍ତି। ଘଟଣା ସଂପର୍କରେ ସେ ଖୁବ୍‌ଶୀଘ୍ର କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଅବଗତ କରାଇବେ ବୋଲି ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର