ଭୋପାଳ: ମଧ୍ୟପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି କହିଛନ୍ତି ଯେ ସେ ମରିଯିବେ ପଛେ, ନିଜ ପାଇଁ କିଛି ମାଗିବେ ନାହିଁ। ଭାରତୀୟ ଜନତା ପାର୍ଟି (ବିଜେପି) ଉଜ୍ଜୟିନୀରୁ ତିନି ଥର ବିଧାୟକ ହୋଇଥିବା ମୋହନ ଯାଦବଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିବା ପରେ ଚୌହାନ ଏହା କହିଛନ୍ତି।

Advertisment

ଆଜି ଏକ ବିଦାୟକାଳୀନ ସାମ୍ବାଦିକ ସମ୍ମିଳନୀରେ ଚୌହାନ କହିଛନ୍ତି ଯେ, ତାଙ୍କ ସ୍ଥାନରେ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ନେତୃତ୍ୱଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯାଦବଙ୍କ ନେତୃତ୍ୱରେ ବିଜେପି ସରକାର ରାଜ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି। ପ୍ରଗତି ଓ ବିକାଶ ଦୃଷ୍ଟିରୁ ମଧ୍ୟପ୍ରଦେଶ ନୂଆ ଉଚ୍ଚତା ହାସଲ କରିବ। ମୁଁ ତାଙ୍କୁ ସମର୍ଥନ ଜାରି ରଖିବି ବୋଲି ଚୌହାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରିବି।’

ଚୌହାନ ଦୀର୍ଘ ଦିନ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜନ କରିଛନ୍ତି। ୨୦୦୫ରୁ ୨୦୧୮ ଏବଂ ପୁଣି ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରାଜ୍ୟର ଗତିପଥରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ଚୌହାନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏପରିକି ନିକଟରେ ହୋଇଥିବା ନିର୍ବାଚନରେ ବିଜେପିର ଜବରଦସ୍ତ ବିଜୟ ପଛରେ ରହିଛି ଏଭଳି ଏକ ସରକାରୀ ଯୋଜନା ‘ଲାଡଲି ବେହନା’। ମହିଳା ଭୋଟରଙ୍କୁ ସିଧାସଳଖ ଟାର୍ଗେଟ କରିବାରେ ଏହି ଯୋଜନା ଏକ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିବା କୁହାଯାଉଛି।