ରାଜ୍ୟସଭା ପଦ ଛାଡ଼ିବି ନାହିଁ: ସ୍ବାତୀ

ନୂଆଦିଲ୍ଳୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ରାଜ୍ୟସଭା ସଦସ୍ୟ ସ୍ବାତୀ ମଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାର ମାଡ଼ ମାରିବା ଘଟଣାରେ ଗତକାଲି କେଜ୍ରିୱାଲ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ। ଘଟଣାର ‘ଦୁଇଟି ଭିନ୍ନ ବୟାନ ରହିଛି’ ଏଣୁ ‘ନିରପେକ୍ଷ ତଦନ୍ତ’ କରାଯାଉ ବୋଲି ସେ ଦାବି କରିଥିଲେ। କେଜ୍ରିୱାଲ୍‌ଙ୍କ ଏହି ମନ୍ତବ୍ୟକୁ ଆଜି ମଲିୱାଲ୍‌ ତୀବ୍ର ସମାଲୋଚନା କରିଛନ୍ତି। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ କେଜ୍ରିୱାଲଙ୍କ ଘରେ ସବୁକିଛି ଘଟିଥିବାରୁ ତାଙ୍କଠାରୁ କିଛି ନିରପେକ୍ଷ କଥା ଆଶା କରାଯାଉଥିଲା ବୋଲି କହିଛନ୍ତି। ତାଙ୍କୁ ରାଜ୍ୟସଭା ପଦ ଛାଡ଼ିଦେବା ପାଇଁ ଅନୁରୋଧ କରିବା ବଦଳରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ଯେଭଳି ଆକ୍ରମଣ କଲେ ତାହାର ମୁକାବିଲା ପାଇଁ ସେ ଦୀର୍ଘ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମଲିୱାଲ କହିଛନ୍ତି। ବର୍ତ୍ତମାନର ସ୍ଥିତିରେ ସେ ରାଜ୍ୟସଭା ପଦ ଛାଡ଼ିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମାଲିୱାଲ୍‌ ଲେଖିଛନ୍ତି, ଆପ୍‌ ନେତାଙ୍କ ସେନା ଓ ସ୍ବେଚ୍ଛାସେବୀଙ୍କୁ ତାଙ୍କ ବିରୋଧରେ ଲଗାଇବା, ତାଙ୍କୁ ବିଜେପି ଏଜେଣ୍ଟ ବୋଲି ଅଭିହିତ କରିବା, ତାଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର କରିବା, ସମ୍ପାଦିତ ଭିଡିଓକୁ ପ୍ରକାଶ କରିବା, ଅସମ୍ମାନିତ କରିବା, ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିବା, ଅପରାଧ ସମର୍ଥନରେ ପ୍ରତିବାଦ କରିବା ପରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଘରେ ମୋତେ ମାଡ଼ ହେଲା ସେ ଦାବି କରୁଛନ୍ତି ଯେ ନିରପେକ୍ଷ ଓ ଅବାଧ ତଦନ୍ତ ହେବା ଆବଶ୍ୟକ। ଏଭଳି ମନ୍ତବ୍ୟ ଅତି ଦୁଭାଗ୍ୟପୂର୍ଣ୍ଣ ଏବଂ ସେ ଏହାକୁ ଗ୍ରହଣ କରିପାରୁନାହାନ୍ତି ବୋଲି ମଲିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର