ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ଭୋଟର ଅବ୍ୟବହିତ ପୂର୍ବରୁ ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ୫୦ରୁ ଊର୍ଦ୍ଧ୍ବ ମନ୍ତ୍ରୀ କୁଆଡ଼େ ଗାଏବ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଇମ୍ରାନ ଖାନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ।
ପାକିସ୍ତାନରେ ଏକ ବଡ଼ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଇସ୍ତଫା ନେଇ ଚାଲିଥିବା ଆଲୋଚନାକୁ ନିଜର ଉତ୍ତର ସହ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଆଜି ଇସଲାମାବାଦରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ଇମ୍ରାନ ଖାନ କହିଛନ୍ତି ଯେ, ମୁଁ ନିଜର ପାଞ୍ଚ ବର୍ଷ ପୂରଣ କରିବି ଏବଂ ଇସ୍ତଫା ଦେବି ନାହିଁ। ମୁଁ ଲୋକଙ୍କ ବିକାଶ ପାଇଁ ରାଜନୀତିକୁ ଆସିଛି। ପାକ୍ ଇତିହାସରେ କୌଣସି ସରକାର ମୋ ସରକାର ଭଳି କାମ କରିନାହାଁନ୍ତି ଏବଂ ଏତେ ବର୍ଷ କ୍ଷମତାରେ ମଧ୍ୟ ରହିନାହାନ୍ତି। କରୋନା ସମୟରେ ମୁଁ ଯେଉଁ ପଦକ୍ଷେପ ସବୁ ନେଇଥିଲି, ତାକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କରାଯାଇଥିବାରୁ ମୁଁ ଗର୍ବିତ। କରୋନା ମହାମାରୀ ଭଳି କଠିନ ପରିସ୍ଥିତି ସତ୍ତ୍ବେ ଆମର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି। କରୋନା ସମୟରେ ଅନେକ ରେକର୍ଡ କରିବା ସହ ଆମ ସରକାର ଶିଳ୍ପକୁ ଐତିହାସିକ ପ୍ୟାକେଜ୍ ଦେଇଛି। ମହିଳାଙ୍କୁ ସମ୍ପତ୍ତିରେ ସମାନ ଅଧିକାର ଦେବାର ବିଲ୍ ଆଣିଛୁ। ଏତେ ସବୁ ପରେ ମୁଁ ଇସ୍ତଫା ଦେବି ନାହିଁ।