ଚଣ୍ଡୀଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଂଜାବର ହୋସିଆରପୁରରେ ଚଳିତ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ‌ର ଶେଷ ରାଲିରେ ଉଦ୍‌ବୋଧନ ଦେଇ ଇଣ୍ଡି ମେଣ୍ଟ ନେତାଙ୍କ ବିରୋଧରେ ଗର୍ଜିଛନ୍ତି। ସଂରକ୍ଷଣ ପ୍ରସଙ୍ଗରେ ଇଣ୍ଡି ମେଣ୍ଟ ନେତାମାନେ ଲଗାତାର ଷଡ଼୍‌ଯନ୍ତ୍ର କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଭୋଟ୍ ବିଜେପିକୁ ଦେବା ପାଇଁ ରବିଦାସ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି। ସଂରକ୍ଷଣକୁ ଟାର୍ଗେଟ କରି ଇଣ୍ଡି ମେଣ୍ଟ ନେତାମାନେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ବିଷୟରେ କଡ଼ା ମନ୍ତବ୍ୟ ଦେଇଥିଲେ। ଇଣ୍ଡି ମେଣ୍ଟ ନେତାମାନେ ଅଗ୍ନିବୀର ଯୋଜନାକୁ ବନ୍ଦ କରିଦେବାକୁ ଘୋଷଣା କରିବା ସହ ସେନାକୁ ରାଜନୀତିର ଅସ୍ତ୍ର କରୁଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ‘ଭାରତର ସଶସ୍ତ୍ର ବାହିନୀକୁ ସବୁଠାରୁ ଆଧୁନିକ, ସବୁଠାରୁ ଦକ୍ଷ ଏବଂ ପ୍ରକୃତ ଆତ୍ମନିର୍ଭରଶୀଳ କରିବା ମୋର ଲକ୍ଷ୍ୟ। ଦେଶର ସେନା ସଶକ୍ତ ହେବା ଇଣ୍ଡି ମେଣ୍ଟ ଚାହୁନାହିଁ। ସେମାନଙ୍କ ବେଆଇନ ରୋଜଗାର ବାଧାପ୍ରାପ୍ତ ହେଉଛି, ଯେଉଁଥିପାଇଁ ସେମାନେ ମୋ ଉପରେ ରାଗିଯାଉଛନ୍ତି ।

Advertisment

ମୁଁ ଚୁପ୍ ରହୁଛି, ତେଣୁ ଏହାକୁ ମୋଦୀଙ୍କ ବୁଝାମଣାର ଅଭାବ ବୋଲି ଭୁଲ କରନ୍ତୁ ନାହିଁ। ଯେଉଁଦିନ ମୁଁ ମୁହଁ ଖୋଲିବି, ମୁଁ ତୁମ ସାତ ପିଢ଼ିର ପାପକୁ ପଦାରେ ପକାଇଦେବି।’ ଦଳିତ, ପଛୁଆ ଓ ଆଦିବାସୀଙ୍କ ସଂରକ୍ଷଣ ଛଡ଼ାଇ ନେବାପାଇଁ ଇଣ୍ଡି ମେଣ୍ଟ ପ୍ରୟାସ କରୁଛି ଏବଂ ଏହାକୁ କଦାପି ମୁଁ ସଫଳ ହେବାକୁ ଦେବି ନାହି ବୋଲି ମୋଦୀ ଶପଥ ନେଇଛନ୍ତି। ‘ପଛୁଆବର୍ଗର ସଂରକ୍ଷଣକୁ ସୁରକ୍ଷିତ ରଖିବାକୁ ମୋର ଏହି ପ୍ରୟାସରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ନେତାମାନେ ଉତ୍ତେଜିତ ଅଛନ୍ତି। ଏସ୍‌ସି-ଏସ୍‌ଟି, ଓବିସିଙ୍କ ସଂରକ୍ଷଣ ଛଡ଼ାଇ ନେବା ସେମାନଙ୍କ ଟ୍ରାକ୍ ରେକର୍ଡ ରହିଛି ସେମାନେ ସମ୍ବିଧାନର ଭାବନା ସହିତ ଖେଳୁଛନ୍ତି, ଡ. ବାବା ସାହେବ ଆମ୍ବେଦକରଙ୍କ ଭାବନାକୁ ଅପମାନିତ କରୁଛନ୍ତି। ସେମାନେ କ୍ଷମତାରେ ଥିବା ରାଜ୍ୟରେ ଓବିସିଙ୍କ ସଂରକ୍ଷଣ ଛଡ଼ାଇ ନେବାର ପ୍ରମାଣ ଆଖି ସାମ୍ନାରେ ରହିଛି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟ ମୁସଲମାନଙ୍କୁ ସଂରକ୍ଷଣ ଦେବା ପାଇଁ ଅନ୍ୟ ସଂରକ୍ଷଣ ହ୍ରାସ କରିବାକୁ ଚାହୁଛି। ସେମାନେ ଦଳିତ ଏବଂ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡ଼ାଇ ନେଇ କେବଳ ମୁସଲମାନମାନଙ୍କୁ ଦେବାକୁ ଯୋଜନା କରିବା ବିପଜ୍ଜନକ। ଏହାକୁ ମୁଁ ରୋକିବାରୁ ସେମାନେ କ୍ରୋଧିତ ହୋଇ ମୋତେ ଗାଳି ଗୁଲଜ କରୁଛନ୍ତି।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ରବିଦାସଙ୍କ ସମ୍ମାନରେ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଜେପି ସରକାରଙ୍କ ଯୋଜନା ବିଷୟରେ କହିଥିଲେ। ମଧ୍ୟପ୍ରଦେଶରେ ଗୁରୁ ରବିଦାସଙ୍କ ଭବ୍ୟ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରାଯାଇଛି, ଯେଉଁଠାରେ ବିଜେପି ସରକାର ମଧ୍ୟ କ୍ଷମତାରେ ଅଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ବିଜେପି ସରକାର କ୍ଷମତାକୁ ଆସେ ତେବେ ଆଦମପୁର ବିମାନବନ୍ଦରକୁ ଗୁରୁ ରବିଦାସଙ୍କ ନାମରେ ନାମିତ କରାଯିବ। ବିଜେପି ସରକାର ହ୍ୟାଟ୍ରିକ୍ ବିଜୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପଞ୍ଜାବ ମଧ୍ୟ ‘ଫିର୍ ଏକ ବାର ମୋଦୀ ସରକାର’ (ପୁଣି ଥରେ ମୋଦୀ ସରକାର) ଚାହୁଛି ବୋଲି ସେ କହିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ଦ୍ୱାରା ପରିଚାଳିତ ଭୋଟ୍ ବ୍ୟାଙ୍କ ରାଜନୀତି ଦେଶକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଯେଉଁମାନେ ଏକଦା ନିଜର ଭୋଟ୍ ବ୍ୟାଙ୍କ ପ୍ରତି ପ୍ରବଳ ଲୋଭ ରଖିଥିଲେ, ସେମାନେ ବିଭାଜନ ସମୟରେ କରତାରପୁର ସାହିବ ଉପରେ ଭାରତର ଅଧିକାରକୁ ଦୃଢ଼ କରିବାରେ ବିଫଳ ହୋଇଥିଲେ। ସେମାନେ ହିଁ ନିଜ ଭୋଟ୍ ବ୍ୟାଙ୍କ ପାଇଁ ରାମ ମନ୍ଦିରକୁ ଲଗାତାର ବିରୋଧ କରୁଥିଲେ। ଜୁନ୍ ୧ରେ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ହୋସିଆରପୁର ରାଲି ପଞ୍ଜାବର ଶେଷ ପ୍ରଚାର ରାଲି ଥିଲା ।