ମୋ ଦଳର ଲୋକ ହୋଇଥିଲେ ୪ ଚଟକଣା ମାରି ଥାଆନ୍ତି… ମମତା ବାନାର୍ଜୀ ରାଗିବା ପରେ ବଦଳି ହେଲେ ପୁରୁଲିଆ ଜିଲ୍ଲା ମାଜିଷ୍ଟ୍ରେଟ୍‌

କୋଲ୍‌କାତା: ଇଟାଭାଟିରୁ ଆଦାୟ ହେଉ ଥିବା ରାଜସ୍ବ ଟ୍ରେଜେରିରେ ଜମା ହେଉ ନ ଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଷର ଶିକାର ହୋଇଥିବା ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାହୁଲ୍‌ ମଜୁମ୍‌ଦାର୍‌ଙ୍କୁ ଗୁରୁବାର ଦିନ ‘ଆସନ୍‌ସୋଲ୍‌-ଦୁର୍ଗାପୁର ଉନ୍ନୟନ ବୋର୍ଡ’ର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୁଲିଆରେ ଆୟୋଜନ କରାଇଥିବା ପ୍ରଶାସନିକ ବୈଠକରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାହୁଲ୍‌ଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।

Image Courtesy of Times of India

ଇଟାଭାଟିରୁ ଆଦାୟ ହେଉଥିବା ରାଜସ୍ବ ଠିକ୍‌ ଭାବେ ଟ୍ରେଜେରିରେ ଜମା ହେଉନାହିଁ ବୋଲି ଉକ୍ତ ବୈଠକରେ ଅଭିଯୋଗ ହେବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିଯାଇ କହିଥିଲେ, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶୁଣି ପାରୁଛନ୍ତି ତ? ସାଧାରଣ ଜନତାଙ୍କଠାରୁ ସେମାନେ ଅର୍ଥ ଆଦାୟ କରୁଛନ୍ତି। କିନ୍ତୁ, ସେମାନେ ସେ ଅର୍ଥ ସରକାରଙ୍କୁ ଦେଉନାହାନ୍ତି। ସେମାନେ କିଛି ପର୍ସେଣ୍ଟେଜ୍‌ ମାତ୍ର ଦେଉଛନ୍ତି। ବାକି ଅର୍ଥ ନିଜେ ରଖି ଦେଉଛନ୍ତି। ସେ ଅର୍ଥ ଚୋରି ହୋଇଯାଉଛି। ଆପଣ କି ପ୍ରକାର ଜିଲ୍ଲା ଶାସନ କରୁଛନ୍ତି? ଦୀର୍ଘ ଦିନ ହେବ ଆପଣ ଏ ଜିଲ୍ଲାରେ ଅଛନ୍ତି। ମୋର ଚିନ୍ତାଧାରା ବଦଳି ଯାଇଛି। ଲୋକମାନଙ୍କୁ ମୁଁ ଏତେ ଦେଉଛି। କିଛି ଲୋକ ଏତେ ଲୋଭୀ ହୋଇଯାଉଛନ୍ତି କାହିଁକି? ଆପଣମାନଙ୍କର ଆଉ‌ କେତେ ଦରକାର? ଯଦି ସେମାନେ ମୋ ଦଳର ଲୋକ ହୋଇଥାଆନ୍ତେ, ଚାରି ଚଟକଣା ମାରି ଥାଆନ୍ତି।

ପ୍ରଶାସନିକ ବୈଠକରୁ ଫେରିବା ପରେ ଗୁରୁବାର ଦିନ ରାଜ୍ୟ ସଚିବାଳୟ ‘ନବାନ୍ନ’ରୁ ନିର୍ଦେଶନାମା ଜାରି କରାଯାଇ ରାହୁଲ୍‌ ମଜୁମ୍‌ଦାରଙ୍କୁ ପୁରୁଲିଆରୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର