ଏବେ ତମାମ୍‌ ବିଶ୍ୱର ନଜର ଭାରତ ଉପରେ: ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ଭାରତୀୟ ବାୟୁସେନା କି ଯୁଦ୍ଧାସ୍ତ୍ରର ପ୍ରୟୋଗ କରିଛି? କ’ଣ ହୋଇଛି ଇସ୍ରାଏଲୀ ସ୍ପାଇସ୍‌ ବମ୍‌ କିଟ୍‌ ବ୍ୟବହାର

ନୂଆଦିଲ୍ଲୀ: ଭାରତ ବାୟୁସେନା ପକ୍ଷରୁ ପାକିସ୍ତାନରେ ଆକାଶମାର୍ଗରୁ କରା ଯାଇଥିବା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ଖବରକୁ ବିଶ୍ୱର ସମସ୍ତ ସମ୍ବାଦପତ୍ର ପ୍ରମୁଖ ଖବର ଭାବେ ପ୍ରକାଶ କରିଛନ୍ତି। ଏଥିସହ ୧୨ଟି ମିରେଜ୍‌ ୨୦୦୦ ଲଢ଼ୁଆ ବିମାନ ଜରିଆରେ ଭାରତ ପାକିସ୍ତାନ ମାଟିରେ ଗଢ଼ି ଉଠିଥିବା ଆତଙ୍କବାଦୀ ସଂଗଠନର ଟ୍ରେନିଂ ସେଣ୍ଟରଗୁଡ଼ିକୁ ଯେପରି ଭାବେ ମାଟିରେ ମିଶାଇଲା ତାକୁ ନେଇ ଏବେ ତମାମ୍‌ ବିଶ୍ୱରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା।

ପାକିସ୍ତାନର କୌଣସି ସାଧାରଣ ନାଗରିକଙ୍କୁ କୌଣସି ପ୍ରକାରର କ୍ଷୟକ୍ଷତି ନ ପହଞ୍ଚାଇ ଭାରତୀୟ ବାୟୁସେନା କେବଳ ମାତ୍ର ନିଜର ଟାର୍ଗେଟ ଉପରେ ଆକ୍ରମଣ କରି ସେଗୁଡ଼ିକୁ ସଂପୂର୍ଣ୍ଣ ସଫଳତାର ସଂହ ଯେପରି ଧ୍ୱଂସ କଲା ସେଥିପାଇଁ ଭାରତୀୟ ବାୟୁସେନା କି ପ୍ରକାରର ଓ କେଉଁ ଧରଣର ଯୁଦ୍ଧାସ୍ତ୍ର ବ୍ୟବହାର କରିଥିଲା ତାକୁ ନେଇ ଯୁଦ୍ଧ ବିଶାରଦମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି। ସେମାନେ କହିଛନ୍ତି ଯେ ଭାରତୀୟ ବାୟୁସେନାର ଲଢ଼ୁଆ ମିରେଜ୍‌ ୨୦୦୦ ବିମାନଗୁଡ଼ିକ ଭାରତ୍ରୀୟ ଆକାଶସୀମା ମଧ୍ୟରେ ‘ଷ୍ଟାଣ୍ଡଅପ୍‌’ ରେଞ୍ଜେସ୍‌ ମଧ୍ୟରେ ରହି ‘ଲେଜର ଗାଇଡେଡ୍‌ ବମ୍‌’ ବ୍ୟବହାର କରି ଏହି ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି।

ଏଥିସହ ବିଶ୍ୱର ଆଉ କିଛି ଯୁଦ୍ଧ ବିଶାରଦ ଏସଂପର୍କରେ ମତ ଦେଇ କହିଛନ୍ତି ଯେ ଭାରତୀୟ ବାୟୁସେନା ଇସ୍ରାଏଲୀ ସ୍ପାଇସ୍‌ ବମ୍‌ କିଟ୍‌ ବ୍ୟବହାର କରି ଏହି ସର୍ଜିକାଲ ଷ୍ଟ୍ରାଇକ୍‌ କରିଛି। କାରଣ, ଏହି ଇସ୍ରାଏଲୀ ସ୍ପାଇସ୍‌ ବମ୍‌ କିଟ୍‌ ବ୍ୟବହାର କରିବାରେ ଭାରତୀୟ ବାୟୁସେନା ବେଶ୍‌ ପାରଙ୍ଗମ। ଏହି ଇସ୍ରାଏଲୀ ସ୍ପାଇସ୍‌ ବମ୍‌ କିଟ୍‌ରେ ଇଣ୍ଟରନାଲ ନାଭିଗେସନ୍‌ ସିଷ୍ଟମ ସହ ପିନ୍‌ ପଏଣ୍ଟ ଆକ୍ୟୁରେସୀ ପାଇଁ ଅପଟିକାଲ ସେନ୍‌ସର ରହିଥାଏ। ୫୦୦ କିଲୋଗ୍ରାମ୍‌ ବୋମାରେ ଖଞ୍ଜା ଯାଇଥିବା ସ୍ପାଇସ୍‌-୧୦୦୦ କିଟ୍‌ ୧୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରୁଥିବା ବେଳେ ୧୦୦୦ କିଲୋଗ୍ରାମ୍‌ ବୋମାରେ ଖଞ୍ଜା ଯାଇଥିବା ସ୍ପାଇସ୍‌-୨୦୦୦ କିଟ୍‌ ୬୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରିପାରେ। ତେବେ ସବୁଠାରୁ ବଡ଼ କଥାହେଲା ସ୍ପାଇସ୍‌ ୧୦୦୦ ଓ ସ୍ପାଇସ୍‌ ୨୦୦୦ କିଟ୍‌ ଖଞ୍ଜା ଯାଇ ନିକ୍ଷେପ କରା ଯାଉଥିବା ବୋମାଗୁଡ଼ିକ ଶତ୍ରୁପକ୍ଷର ରାଡାର୍‌ରେ ସୁଦ୍ଧା ଧରାପଡ଼ି ନଥାନ୍ତି।

ସମ୍ବନ୍ଧିତ ଖବର