ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ର ବ୍ଲାକ୍‌ବକ୍ସରୁ ଡାଟା ସଂଗ୍ରହରେ ‘ହାଲ୍‌’ ବିଫଳ ହେଲେ ଏହାକୁ ବିଦେଶ ପଠାଯିବ!

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଲିପୋ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନର ବ୍ଲାକ୍‌ବକ୍ସଟି ଦୁର୍ଘଟଣା କାଳରେ ମାତ୍ରାଧିକ ପରିମାଣରେ ନଷ୍ଟ ହୋଇ ଯାଇଛି। ତେଣୁ, ଏହି ବ୍ଲାକ୍‌ବକ୍ସରେ ରେକର୍ଡ ହୋଇଥିବା ଡାଟାକୁ ବାହାର କରି ବିମାନ ଦୁର୍ଘଟଣାର କାରଣ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ହାସଲ କରିବା ପାଇଁ ଆହୁରି କିଛି ଦିନ ସମୟ ଲାଗିଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

ନିଖୋଜ ହେବାର ଦୀର୍ଘ ୯ ଦିନ ପରେ ଏଏନ- ୩୨ ବିମାନର ଧ୍ୱଂସାବଶେଷକୁ ବାୟୁସେନା ଅରୁଣାଚଳ ପ୍ରଦେଶର ଲିପୋ ଅଞ୍ଚଳରୁ ଠାବ କରିଥିଲା। ଏଥିସହ ବିମାନର ଧ୍ୱଂସାବଶେଷ ମଧ୍ୟରୁ ଫ୍ଲାଇଟ୍‌ ଡାଟା ରେକର୍ଡର (ଏଫ୍‌ଡିଆର୍‌) ଓ କକ୍‌ପିଟ୍‌ ଭଏସ୍‌ ରେକର୍ଡର (ସିଭିଆର୍‌) ସମେତ ବ୍ଲାକ୍‌ବକ୍ସକୁ ମଧ୍ୟ ଉଦ୍ଧାର କରିବାରେ ସମର୍ଥ ହୋଇଥିଲା। ଏଇ ସବୁଥିରୁ ଜଣା ପଡ଼ି ଥାଆନ୍ତା ବିମାନ ଦୁର୍ଘଟଣାର ପ୍ରକୃତ କାରଣ। ତେବେ, ଏସବୁ ପ୍ରାୟ ନଷ୍ଟ ହୋଇ ଯାଇଥିବାରୁ ତାହା ବାୟୁସେନା ପାଇଁ ଚିନ୍ତାର କାରଣ ପାଲଟିଛି। ତଥାପି, ଫ୍ଲାଇଟ୍‌ ଡାଟା ରେକର୍ଡର (ଏଫ୍‌ଡିଆର୍‌) ଓ କକ୍‌ପିଟ୍‌ ଭଏସ୍‌ ରେକର୍ଡର (ସିଭିଆର୍‌) ସମେତ ବ୍ଲାକ୍‌ବକ୍ସରୁ ଡାଟା ବାହାର କରିବା ପାଇଁ ବାୟୁସେନା ଏସବୁକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ହସ୍ତାନ୍ତର କରିଛି। ଯଦି ହାଲ୍‌ ଏହି କାର୍ଯ୍ୟରେ ସମର୍ଥ ନହୁଏ ତେବେ ଏଥିରୁ ଡାଟା ବାହାର କରିବା ପାଇଁ ଏସବୁ ବିଦେଶ ପଠାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

Scroill.In

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମାଚୁକା ଅଭିମୁଖେ ଉଡ଼ାଣ ଭରିଥିବା ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଖୋଜ ହୋଇ ଯାଇଥିଲା। ଏହି ନିଖୋଜ ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ଦୀର୍ଘ ୯ ଦିନ ପରେ ଅରୁଣାଚଳ ପ୍ରଦେଶର ଲିପୋ ଅଞ୍ଚଳରୁ ନିଖୋଜ ବିମାନର ଧ୍ୱଂସାବଶେଷକୁ ଠାବ କରାଯାଇଥିଲା। ଏବଂ ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରା ଯାଇଥିଲା। ମୃତକ ମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ପାଇଲଟ ସୁନୀତ ମହାନ୍ତି ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର