ଚର୍ଚ୍ଚାରେ ତାଜିକିସ୍ତାନରେ ଥିବା ଭାରତର ଗୋପନ ବାୟୁସେନା ଘାଟି

କାବୁଲ : ଆଫଗାନିସ୍ତାନକୁ ଅଧିକାର କରିବା ପରେ ସହଜରେ ସରକାର ଗଢିବ ବୋଲି ତାଲିବାନ ଭାବିଥିଲା, କିନ୍ତୁ ଏବେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ପଞ୍ଜଶୀର ଘାଟିରେ ରକ୍ତାକ୍ତ ସଂଘର୍ଷ ଚାଲିଥିବାବେଳେ, ଅନ୍ୟପଟେ ତାଲିବାନ ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନ ତାଲିବାନକୁ ବିବ୍ରତ କରିଦେଇଛି ।

ପାକିସ୍ତାନ ବାୟୁସେନାର ଡ୍ରୋନ ଆକ୍ରମଣ ସହାୟତାରେ ପଞ୍ଜଶୀରକୁ ସହଜରେ ଜିତିବାର ଦାବି କରିଥିବା ତାଲିବାନ ଆଜି ସକାଳୁ ଏକ ଗୋପନ ବିମାନ ଆକ୍ରମଣର ସମ୍ମୁଖୀନ ହୋଇ ବ୍ୟାପକ କ୍ଷୟକ୍ଷତି ସହିଛି । ତେବେ ପଞ୍ଜଶୀରରେ ଲଢୁଥିବା ଜାତୀୟ ପ୍ରତିରୋଧ ବାହିନୀକୁ ସହାୟତା କରିବାକୁ ଗୋପନ ବିମାନ ଆକ୍ରମଣ କରିଥିବା ଦେଶ କିଏ ? ଏ ନେଇ ବିଶେଷଜ୍ଞ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ତେବେ ସବୁଠାରୁ ଚର୍ଚ୍ଚିତ ମତ ହେଉଛି ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପୂର୍ବରୁ ଆଫଗାନ ବାୟୁସେନାର କେତେକ ଲଢୁଆ ବିମାନକୁ ତାଜିକିସ୍ତାନକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେହି ବିମାନଗୁଡ଼ିକ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଗିସାର ମିଲିଟାରୀ ଏରୋଡ୍ରୋମରୁ ଉଡ଼ାଣ ଭରି ତାଲିବାନ ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଭାରତ ସରକାର ତାଜିକିସ୍ତାନର ଆଇନିଠାରେ ଏକ ବାୟୁସେନା ଘାଟି ପ୍ରତିଷ୍ଠା କରିଥିଲେ । ତାହାକୁ ଗିସାର ମିଲିଟାରୀ ଏରୋଡ୍ରୋମ କୁହାଯାଏ । ଭାରତର ସୁଖୋଇ ଲଢୁଆ ବିମାନ ସେଠାରେ ମୁତୟନ ରହିଛି । ଉଭୟ ପାକିସ୍ତାନ ଓ ଚୀନକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏହି ବିମାନଘାଟିକୁ ସ୍ଥାପନ କରିଛି ।

 

ସମ୍ବନ୍ଧିତ ଖବର