ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ପୂର୍ବାଞ୍ଚଳ ବିମାନଘାଟି ପରିଦର୍ଶନ କଲେ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ

ନୂଆଦିଲ୍ଲୀ: ସମ୍ପ୍ରତି ସୀମାନ୍ତରେ ଚୀନ୍ ସହ ଚାଲିଥିବା ଉତ୍ତେଜନା ଦୃଷ୍ଟିରୁ ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ ବୁଧବାର ଦିନ ପୂର୍ବାଞ୍ଚଳ ସେକ୍ଟରରେ ଥିବା ବିମାନଘାଟି ସବୁ ପରିଦର୍ଶନ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଆଭିଯାନିକ ପ୍ରସ୍ତୁତି ଏବଂ ସାମର୍ଥ୍ୟ ବୃଦ୍ଧି ଆଦି ସମୀକ୍ଷା କରିବାକୁ ବାୟୁସେନା ମୁଖ୍ୟ ପୂର୍ବାଞ୍ଚଳ ସେକ୍ଟର୍‌ରେ ଥିବା ପ୍ରମୁଖ ବିମାନଘାଟି ପରିଦର୍ଶନ କରୁଥିବା ଜଣାପଡ଼ିଛି। ସମ୍ପୃକ୍ତ ବିମାନଘାଟିଗୁଡ଼ିକରେ କାର୍ଯ୍ୟରତ ଯୋଦ୍ଧାମାନଙ୍କ ସହ ମଧ୍ୟ ବାୟୁସେନା ମୁଖ୍ୟ ଭାବବିନିମୟ କରିଥିଲେ। ସେଠାରେ ଥିବା ବରିଷ୍ଠ ଅଧିକାରୀମାନେ ତାଙ୍କୁ ଜରୁରୀକାଳୀନ ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ।

Image Courtesy of NDTV

ସେହିପରି ସେନାମୁଖ୍ୟ ଜେନେରାଲ୍ ନରୱାଣେ ମଧ୍ୟ ଦୁଇଦିନିଆ ଲଦାଖ ଗସ୍ତରେ ଯାଇ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର କ୍ଷେତ୍ରୀୟ ସ୍ଥିତି ସମୀକ୍ଷା କରିଛନ୍ତି।

ଲଦାଖ ଅନ୍ତର୍ଗତ ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣଭାଗ ଦଖଲ କରିବାକୁ ଭାରତୀୟ ସେନା ଉଦ୍ୟମ କରିବା ବେଳେ ଭଦୌରିଆ ଏବଂ ନରୱାଣେ ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଅଗଷ୍ଟ ୨୯-୩୦ ରାତିରେ ଲଦାଖର ଚୁସହୁଲ ନିକଟ ପାଙ୍ଗୋଙ୍ଗ୍‌ ସୋ ହ୍ରଦର ଦକ୍ଷିଣ କୂଳ ନିକଟରେ ଭାରତୀୟ ଅଞ୍ଚଳ ମଧ୍ୟକୁ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମ ଭାରତୀୟ ସେନା ବିଫଳ କରିଥିଲା। ଫଳରେ ଲଦାଖ ଅଞ୍ଚଳରେ ପୁଣି ଉତ୍ତେଜନା ତୀବ୍ରତର ହୋଇ ଉଠିଛି।

 

 

ସମ୍ବନ୍ଧିତ ଖବର