ଭାରତୀୟ ଲଢୁଆ ବିମାନଗୁଡ଼ିକର ସୁରକ୍ଷା ପାଇଁ ଅତ୍ୟାଧୁନିକ ଚାଫ୍ ଜ୍ଞାନକୌଶଳର ବିକାଶ କଲା ଡିଆରଡିଓ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ଭାରତୀୟ ବାୟୁସେନା ପାଇଁ ଏକ ଅତ୍ୟାଧୁନିକ ଚାଫ୍ ଜ୍ଞାନକୌଶଳର ବିକାଶ କରାଯାଇଛି । ଏହି ଟେକନଲୋଜୀ ମାଧ୍ୟମରେ ଭାରତୀୟ ଲଢୁଆ ବିମାନ ଆଡ଼କୁ ଆସୁଥିବା ଶତ୍ରୁପକ୍ଷର ରାଡାର ଗାଇଡେଡ୍ ମିସାଇଲଗୁଡ଼ିକୁ ବାଟବଣା କରି ବିଫଳ କରାଯାଇପାରିବ । ଏହା ଫଳରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ସୁରକ୍ଷିତ ରହିପାରିବ ।

ଏହି ଜ୍ଞାନକୌଶଳକୁ ବ୍ୟବହାର କରି ଡିଆରଡିଓ ପକ୍ଷରୁ ଚାଫ୍ ମ୍ୟାଟେରିଆଲ ଓ ଚାଫ୍ କ୍ୟାଟ୍ରିଜ୍ ନିର୍ମାଣ କରାଯାଇଛି । ଏହାର ସଫଳ ପରୀକ୍ଷଣ ପରେ ଏହାକୁ ସାମିଲ କରିବାକୁ ଭାରତୀୟ ବାୟୁ ସେନା ନିଷ୍ପତ୍ତି ନେଇଛି ।  ଏହି ଜ୍ଞାନକୌଶଳ ବା ଟେକନଲୋଜୀକୁ ଡିଆରଡିଓର ଯୋଧପୁର ଓ ପୁନେ ଲାବରେଟୋରୀ ପକ୍ଷରୁ ମିଳିତ ଭାବେ ନିର୍ମାଣ କରାଯାଇଛି । ବାୟୁସେନାର ଆବଶ୍ୟକତା ମେଣ୍ଟାଇବାକୁ ଏହି ଜ୍ଞାନକୌଶଳକୁ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇ ଚାଫ୍ ସାମଗ୍ରୀ ଉତ୍ପାଦନ କରାଯାଉଛି ।

ସ୍ବଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ କରିବାରେ ଡିଆରଡିଓର ସଫଳତା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହା ଏକ ପାହୁଣ୍ଡ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର