ବାୟୁସେନା ହାତକୁ ଆସିଲା ୪ଟି ଶକ୍ତିଶାଳୀ ଆପାଚି ହେଲିକାପ୍ଟର, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଖକୁ ଆସିଛି ୪ଟି ଏଏଚ ୬୪ଇ ଆପାଚି ହେଲିକାପ୍ଟର । ଆମେରିକାର ବୋଇଂ କମ୍ପାନି ପକ୍ଷରୁ ଶନିବାରଦିନ ଭାରତୀୟ ବାୟୁସେନାକୁ ଏସବୁ ହେଲିକାପ୍ଟର ହସ୍ତାନ୍ତର କରାଯାଇଛି । ଆଗାମୀ ସପ୍ତାହରେ ଆଉ ୪ଟି ଆପାଚି ହେଲିକାପ୍ଟର ବାୟୁସେନା ପାଇବ ।

ମୋଟ ୨୨ଟି ଆପାଚି ହେଲିକାପ୍ଟର ପାଇବା ପାଇଁ ଭାରତ ସରକାର ୪ ବର୍ଷ ତଳେ ଅର୍ଥାତ ୨୦୧୫ରେ ବୋଇଂ କମ୍ପାନି ସହିତ ଚୁକ୍ତି କରିଥିଲେ। ବାୟୁସେନା ମୋଟ ୮ଟି ଆପାଚି ହେଲିକାପ୍ଟର ପାଇବା ପରେ ଆସନ୍ତା ସେପ୍ଟେମ୍ବର ମାସରେ ଏଗୁଡ଼ିକ ବାୟୁସେନାରେ ସାମିଲ ହେବ । ବାୟୁସେନାରେ ସାମିଲ ହେବାପରେ ଏଗୁଡିକୁ ପଂଜାବର ପଠାନକୋଟସ୍ଥିତ ଏୟାରଫୋର୍ସ ବେସରେ ମୃତୟନ କରାଯିବ ।

ଏହି ଆପାଚି ହେଲିକପ୍ଟର୍ ସାମିଲ ଦ୍ୱାରା ବାୟୁସେନା ଆଧୁନିକୀକରଣଦିଗରେ ଆଉ ଏକ ପାଦ ଆଗେଇଥିବା କୁହାଯାଉଛି। ଆପାଚି ହେଲିକପ୍ଟରର ଆକ୍ରମଣ କ୍ଷମତା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଶତ୍ରୁପକ୍ଷର ଆକାଶରେ ସୁରକ୍ଷିତ ଉଡାଣ ଭରିବାର କ୍ଷମତା ମଧ୍ୟ ଅଧିକ। ଏହା ସ୍ଥଳଭାଗରୁ ହେଉଥିବା ଆକ୍ରମଣକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖୁଛି। ଆପାଚି ଲଢୁଆ ହେଲିକପ୍ଟରର ଅନ୍ୟ ଏକ ବିଶେଷତ୍ୱ ହେଲା ଏହା ଯୁଦ୍ଧ କ୍ଷେତ୍ରର ଚିତ୍ରକୁ ସଂଗ୍ରହ କରି ଡାଟା ଆଦାନ ପ୍ରଦାନ କରିପାରିବ। ଏଥିରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର, ଆକାଶରୁ ସ୍ଥଳଭାଗକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର, ବନ୍ଧୁକ ଏବଂ ରକେଟ୍ ମଧ୍ୟ ଖଞ୍ଜାଯାଇଛି। ଏହାକୁ ବିଶ୍ୱର ଅନ୍ୟତମ ବହୁମୁଖୀ ଅକ୍ରମଣକାରୀ ହେଲିକପ୍ଟର୍ ଭାବେ ବିବେଚନା କରାଯାଉଥିବା ବେଳେ ଆମେରିକା ବାୟୁସେନା ଏହାକୁ ସଫଳତାର ସହ ଉପଯୋଗ କରିଆସୁଛି।

ସମ୍ବନ୍ଧିତ ଖବର