ରାତିରେ ଉଡ଼ିବାର କ୍ଷମତା ହାସଲ କଲା ଲେହରେ ମୁତୟନ ହୋଇଥିବା ମିଗ-୨୯ ଲଢୁଆ ବିମାନ

ନୂଆଦିଲ୍ଲୀ : ଏଲଏସି ସେପଟେ ଚୀନ ସେନା ସକ୍ରିୟ ଥିବାରୁ ଭାରତୀୟ ସେନା ଓ ବାୟୁସେନା ମଧ୍ୟ ସତର୍କ ରହିଛି । ଲଦାଖରେ ମୁତୟନ ହୋଇଥିବା ବାୟୁସେନାର ଲଢୁଆ ବିମାନ ଓ ହେଲିକପ୍ଟରଗୁଡ଼ିକ ନିୟମିତଭାବେ ପାଟ୍ରୋଲିଂ ଜାରି ରଖିଛନ୍ତି ।

ଇତି ମଧ୍ୟରେ ଲେହ ଏୟାରବେସରେ ମୁତୟନ ହୋଇଥିବା ଭାରତୀୟ ବାୟୁସେନାର ପ୍ରମୁଖ ତଥା ଭରସାଯୋଗ୍ୟ ଲଢୁଆ ବିମାନ ମିଗ-୨୯ ଇତିମଧ୍ୟରେ ରାତିରେ ଉଡ଼ିବାର କ୍ଷମତା ହାସଲ କରିଛି । ଏହା ଫଳରେ ଭାରତୀୟ ବାୟୁସେନା ରାତିରେ ମଧ୍ୟ ଅପରେସନ କରିପାରିବ । ଏହା ପରେ ବାୟୁସେନା ପାଇଲଟମାନେ ରାତିରେ ଅପରେସନ କରିବାର ଅଭ୍ୟାସ ଚଳାଇଛନ୍ତି । ଲେହ ଏୟାରବେସରେ ପୂର୍ବରୁ ନାଇଟ ଫ୍ଲାଇଙ୍ଗ ବା ରାତିରେ ଉଡ଼ିବାର ବ୍ୟବସ୍ଥା ନଥିଲା । ଏବେ ଚୀନ ସହିତ ଉତ୍ତେଜନା ପରିପ୍ରେକ୍ଷୀରେ ଲେହରେ ମୁତୟନ ମିଗ-୨୯ ବିମାନଗୁଡ଼ିକରେ କେତେକ ଅତ୍ୟାଧୁନିକ ପ୍ରଯୁକ୍ତିଗତ ବ୍ୟବସ୍ଥା କରାଯାଇଛି, ଯଦ୍ୱାରା ଏହା ରାତିରେ ଅପରେସନ କରିପାରିବ ।

ଅନ୍ୟପକ୍ଷରେ ଲେହ ଏୟାରବେସ ଏକ ନିୟମିତ ଏୟାରବେସ ନଥିବାରୁ ସେଠାରେ ନାଇଟ ଫ୍ଲାଇଙ୍ଗ ବ୍ୟବସ୍ଥା ନଥିଲା । କିନ୍ତୁ ଚୀନ ସହ ଉତ୍ତେଜନା ପରେ ସେଠାରେ ନିୟମିତଭାବେ ବାୟୁସେନା ବିମାନ ଚଳାଚଳ କରୁଛି । ଏହା ଫଳରେ ସେଠାରେ ଥିବା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି ।

ଲେହ ଏୟାରବେସ ଚୀନ ଅଧିକୃତ ତିବ୍ଦତର ନିକଟରେ ଥିବାରୁ ବାୟୁସେନାର ବିମାନଗୁଡ଼ିକ ଅଳ୍ପ ସମୟରେ ଚୀନର ମିଲିଟାରୀ ବେସଗୁଡ଼ିକୁ ନଷ୍ଟ କରିପାରିବ ।

ସମ୍ବନ୍ଧିତ ଖବର