ନୂଆଦିଲ୍ଳୀ: ପାକିସ୍ତାନର ବାଲାକୋଟଠାରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନଙ୍କ ଉପରେ ଭାରତୀୟ ବାୟୁସେନା କରିଥିବା ଆକ୍ରମଣ ଏକ ବିଫଳ ଏୟାର୍‌ ଷ୍ଟ୍ରାଇକ୍‌ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି ହୋଇଥିବା ବେଳେ ଏ ନେଇ ଏବେ ନୂଆ ତଥ୍ୟ ହସ୍ତଗତ ହୋଇଛି। ଫେବ୍ରୁଆରି ୨୬ରେ ହୋଇଥିବା ଏହି ଏୟାର୍‌ ଷ୍ଟ୍ରାଇକ୍‌ ଏକ ସଫଳ ଷ୍ଟ୍ରାଇକ୍‌ ବୋଲି ଭାରତୀୟ ବାୟୁସେନା ସରକାରଙ୍କୁ ଜଣାଇଛି। ଭାରତୀୟ ବାୟୁସେନା ପକ୍ଷରୁ ସାଟେଲାଇଟ୍‌ ଫଟୋ ପ୍ରଦର୍ଶନ କରାଯାଇ ଦାବି ହୋଇଛି ଯେ ଷ୍ଟ୍ରାଇକ୍‌ରେ ବ୍ୟବହୃତ ହୋଇଥିବା ୮୦ ପ୍ରତିଶତ ବୋମା ଟାର୍ଗେଟ୍‌ ଛୁଇଁ ପାରିଛି।

Advertisment

ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ସେପରି କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ ବୋଲି ପାକିସ୍ତାନ କହିଥିଲା। ହୋଇଥିବା ଆକ୍ରମଣରେ କେବଳ କିଛି ଗଛ ଓ ବନ୍ୟ ଭୂମି ଧ୍ୱଂଶ ପାଇଛି ବୋଲି ପାକ୍‌ ଦାବି କରିଥିଲା। ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ବାସ୍ତବରେ ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣ ଏକ ସଫଳ ଆକ୍ରମଣ ନା ବିଫଳ ସେ ନେଇ କେହି ବି ନିଶ୍ଚିତ ହୋଇ ପାରିନଥିଲେ।

ମାତ୍ର ଏବେ ଭାରତୀୟ ବାୟୁସେନା ୧୨ ପୃଷ୍ଠାର ସାଟେଲାଇଟ୍‌ ଇମେଜ୍‌ ଦେଖାଇ ସେ କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ ଏକ ସଫଳ ଏୟାର୍‌ ଷ୍ଟ୍ରାଇକ୍‌ ବୋଲି ଦାବି କରିଛି। ଏହି ଫଟୋଗୁଡ଼ିକୁ ପ୍ରମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ବାୟୁସେନା ପଠାଇଥିବା ସୂଚନା ରହିଛି।