କଶ୍ମୀରରେ ଭାରତର ଏମ୍‌ଆଇ-୧୭ ହେଲିକପ୍ଟରକୁ ପାକ୍‌ ବାୟୁସେନା ନୁହେଁ ବରଂ ଭାରତୀୟ ବାୟୁସେନା ହିଁ ଖସାଇ ଦେଇଥିଲା: ତଦନ୍ତ କମିଶନ

ଶ୍ରୀନଗର/ ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଗତ ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନୀ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକୁ ଘଉଡ଼ାଇବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଯେଉଁ ‘ଡଗ୍‌ ଫାଇଟ୍‌’ ଆରମ୍ଭ ହୋଇଥିଲା ସେଥିରେ ଭାରତୀୟ ବାୟୁସେନାର ଏକ ଏମ୍‌ଆଇ-୧୭ ଲଢ଼ୁଆ ହେଲିକପ୍ଟର ଉପରେ କ୍ଷେପଣାସ୍ତ୍ର ମାଡ଼ ହେବାରୁ ଏହା ଧ୍ୱସ୍ତବିଧ୍ୱସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ସଂପୃକ୍ତ ହେଲିକପ୍ଟରରେ ଥିବା ଭାରତୀୟ ବାୟୁସେନାର ୬ ଜଣ ଅଧିକାରୀ ସହିଦ୍‌ ହେବା ସହ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୁତ୍ୟୁ ଘଟିଥିଲା।

Kashmir Times

ତେବେ, ‘ଡଗ୍‌ ଫାଇଟ୍‌’ କାଳରେ ଭାରତୀୟ ବାୟୁସେନାର ଏହି ଏମ୍‌ଆଇ-୧୭ ଲଢ଼ୁଆ ହେଲିକପ୍ଟର ଉପରେ କିଏ କ୍ଷେପଣାସ୍ତ୍ର ମାଡ଼ କଲା ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ଫଳରେ ଏହି ଘଟଣାର ତଦନ୍ତ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ତଦନ୍ତ କମିଶନ ଗଠନ କରାଯାଇଥିଲା। ଲମ୍ବା ସମୟ ଧରି ତଦନ୍ତ କରିବା ପରେ କମିଶନ ଏବେ ଜାଣିବାକୁ ପାଇଛନ୍ତି ଯେ ‘ଡଗ୍‌ ଫାଇଟ୍‌’ କାଳରେ ଭାରତୀୟ ବାୟୁସେନାର ଏହି ଏମ୍‌ଆଇ-୧୭ ଲଢ଼ୁଆ ହେଲିକପ୍ଟର ଉପରେ ପାକିସ୍ତାନୀ ବାୟୁସେନା କ୍ଷେପଣାସ୍ତ୍ର ମାଡ଼ କରି ଏହାକୁ ଖସାଇ ନଥିଲା; ବରଂ ଏକ ଭୁଲ ବୁଝାମଣାର ଶିକାର ହୋଇ ନିଜେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ମାଡ଼ କରି ଏହି ହେଲିକପ୍ଯରକୁ ଖସାଇ ଦେଇଥିଲା। ଆଉ ଏହି ଘଟଣାରେ ଭାରତୀୟ ବାୟୁସେନାର ଶ୍ରୀନଗର ଏୟାର ବେସ୍‌ରେ ମୁତୟନ ଥିବା ଭାରତୀୟ ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ତିନିଜଣ କର୍ମଚାରୀ ସଂପୃକ୍ତ ଥିଲେ। କମିଶନଙ୍କ ତଦନ୍ତରୁ ଏହି ସତ୍ୟ ସାମନାକୁ ଆସିବା ପରେ ଏବେ ସଂପୃକ୍ତ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ତିନିଜଣ କର୍ମଚାରୀଙ୍କ ବିରୋଧରେ ଭାରତୀୟ ବାୟୁସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର