‘ରୁଟିନ୍‌ ମିଶନ’ରେ ବାହାରିଥିବା ବେଳେ ବାୟୁସେନାର ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ; ଦୁର୍ଘଟଣାର କାରଣ ଖୋଜିବାକୁ ଗଠିତ ହେଲା ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’

ଜୟପୁର/ ନୂଆଦିଲ୍ଲୀ: ସଂପ୍ରତି ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ଥିବାବେଳେ ଆଜି ଅପରାହ୍ଣରେ ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ଲଢ଼ୁଆ ବିମାନ ରାଜସ୍ଥାନ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବାୟୁସେନାର ରାଜସ୍ଥାନସ୍ଥିତ ନଲ୍‌ ଏୟାର ବେସ୍‌ରୁ ଏକ ‘ରୁଟିନ୍‌ ମିଶନ’ରେ ଭାରତୀୟ ବାୟୁସେନାର ଏହି ଲଢ଼ୁଆ ମିଗ୍‌-୨୧ ବିମାନଟି ଉଡ଼ାଣ ଭରିଥିବା ବେଳେ ରାଜସ୍ଥାନର ବିକାନେର ସହର ଠାରୁ ୧୨ କିଲୋମିଟର ଦୂରରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ଖାଇବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ତଥାପି ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଖୋଜି ବାହାର କରିବା ପାଇଁ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଗଠିତ ହୋଇଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନାର ପ୍ରବକ୍ତା। ତେବେ, ଦୁର୍ଘଟଣା ଗ୍ରସ୍ତ ମିଗ୍‌-୨୧ ବିମାନଟି ତଳେ ପଡ଼ିବା ପୂର୍ବରୁ ଏହାର ଉଡ଼ାଣ ଭରୁଥିବା ପାଇଲଟ ଜଣକ ପାରାଚ୍ୟୁଟ ସାହାଯ୍ୟରେ ଦୁର୍ଘାଟଣାଗ୍ରସ୍ତ ବିମାନ ମଧ୍ୟରୁ ସୁରକ୍ଷିତ ଭାବେ ବାହାରି ଆସିଥିବା କହିଛନ୍ତି ଭାରତୀୟ ବାୟୁସେନାର ପ୍ରବକ୍ତା।

ପ୍ରସଙ୍ଗକ୍ରମେ, ସାଂପ୍ରତିକ ପରିସ୍ଥିତିରେ ଯୁଦ୍ଧାସ୍ତ୍ର ବିଶାରଦମାନେ ୬୫ ବର୍ଷର ପୁରୁଣା ଋଷିଆ ନିର୍ମିତ ଏହି ପୁରୁଣା ମିଗ୍‌-୨୧ ବିମାନଗୁଡ଼ିକୁ ‘ଫ୍ଲାଇଙ୍ଗ୍‌ କଫିନ୍‌’ର ଆଖ୍ୟା ଦେଇଥିବା ବେଳେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ବି ଏସ୍‌ ଧନୋଆ କିନ୍ତୁ ଏଥିରେ ଭିନ୍ନ ମତ ପୋଷଣ କରି ମିଗ୍‌-୨୧ ଲଢ଼ୁଆ ବିମାନକୁ ଭାରତୀୟ ବାୟୁସେନାର ‘ମେରୁଦଣ୍ଡ’ (ବ୍ୟାକ୍‌ ବୋନ୍‌) ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଗତ ୨୭ ତରିଖରେ ଏକ ମିଗ୍‌-୨୧ ବାଇସନ୍‌ ସାହାଯ୍ୟରେ ଜମ୍ମୁ- କଶ୍ମୀରର ରଜୌରୀ ସେକ୍ଟର ମଧ୍ୟକୁ ପଶି ଆସିଥିବା ପାକିସ୍ତାନର ଆମେରିକା ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ଏଫ୍‌-୧୬ ଲଢ଼ୁଆ ବିମାନକୁ ‘ଡଗ୍‌ ଫାଇଟ୍‌’ରେ ଧ୍ୱଂସ କଲେ ତାକୁ ନେଇ ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଚାଲିଛି। ଏ ପରିସ୍ଥିତିରେ ରାଜସ୍ଥାନରେ ଆଜି ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହେବା ଭାରତୀୟ ବାୟୁସେନା ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର