ମିଗ-୨୭ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଋଷ ନିର୍ମିତ ମିଗ ବିମାନ ଭାରତୀୟ ବାୟୁସେନାର ଅନେକ ସେବା କରିଛି । କିନ୍ତୁ ଆଧୁନିକ ଯୁଗରେ ଏହି ଲଢୁଆ ବିମାନ ପୁରୁଣାକାଳିଆ ହୋଇଗଲାଣି । ବାରମ୍ବାର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ବାୟୁସେନା ନିଜର ପାଇଲଟମାନଙ୍କୁ ହରାଉଛି । ଏବେ ମିଗ ବିମାନକୁ ଉଡନ୍ତା କଫିନ ବୋଲି କୁହାଯାଉଛି । ଆଜି ଏହି ପରି ଏକ ମିଗ-୨୭ ବିମାନ ରାଜସ୍ଥାନର ପୋଖରାନ ରେଞ୍ଜରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୌଭାଗ୍ୟବସତଃ ପାଇଲଟ ଜଣକ ଠିକ ସମୟରେ ବିମାନରୁ ବାହାରି ନିଜକୁ ବଞ୍ଚାଇପାରିଛନ୍ତି । ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । କିଛି ଦିନ ପୂର୍ବେ ଏକ ମିରେଜ ବିମାନ ବାଙ୍ଗାଲୁରୁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ୨ ଜଣ ପାଇଲଟ ମୃତ୍ୟୁବରଣ କରିଥିଲେ ।

ଆଉ ମାତ୍ର କିଛି ଦିନ ପରେ ବାୟୁସେନା ପକ୍ଷରୁ ବାୟୁଶକ୍ତି ନାମକ ଏକ ବୃହତ ଯୁଦ୍ଧାଭ୍ୟାସ ଆୟୋଜନ କରାଯାଇଛି । ଏହା ପୂର୍ବରୁ ଏହି ଦୁର୍ଘଟଣା ବାୟୁସେନାକୁ ଚିନ୍ତାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର