ଶ୍ରୀନଗର: ଜଣେ ୱିଙ୍ଗ୍‌ କମାଣ୍ଡର୍‌ଙ୍କ ବିରୋଧରେ ଭାରତୀୟ ବାୟୁସେନାରେ ଜଣେ ମହିଳା ଉଡ଼ାଣ ଅଧିକାରୀ ଏକ ସଂଘାତିକ ଅଭିଯୋଗ ଆଣିଛନ୍ତି। ମହିଳା ଅଧିକାରୀ ଜଣକ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି ଯେ ୱିଙ୍ଗ୍‌ କମାଣ୍ଡର୍‌ ତାଙ୍କୁ ଏକ ରୁମ୍‌ ଭିତରକୁ ନେଇ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। 

Advertisment

ଅଭିଯୋଗକୁ ଭିତ୍ତି କରି ଜାମ୍ମୁ କାଶ୍ମୀରର ବୁଡଗାମ ପୁଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ଉଭୟ ଅଭିଯୋଗକାରିଣୀ ଓ ଅଧିକାରୀ ଶ୍ରୀନଗରରେ ଅବସ୍ଥାପିତ।

ଏ ସଂପର୍କରେ ଭାରତୀୟ ବାୟୁସେନା କହିଛି ଯେ ସେମାନେ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛନ୍ତି। ଭାରତୀୟ ବାୟୁ ସେନା ଏନଡିଟିଭିକୁ କହିଛି, "ଆମେ ଏହି ମାମଲା ବିଷୟରେ ଅବଗତ। ସ୍ଥାନୀୟ ପୁଲିସ  ଏହି ପ୍ରସଙ୍ଗରେ ଶ୍ରୀନଗରରେ ଭାରତୀୟ ବାୟୁସେନା ସହ ଯୋଗାଯୋଗ କରିଛି ଓ ଭାରତୀୟ ବାୟୁସେନା ପୂର୍ଣ୍ଣ ସହଯୋଗ କରୁଛି।’’

ଗତ ଦୁଇ ବର୍ଷ ମଧ୍ୟରେ ସେ ନିର୍ଯ୍ୟାତନା, ଯୌନ ନିର୍ଯାତନା ତଥା ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଫ୍ଲାଇଙ୍ଗ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି। ମହିଳା ଉଡ଼ାଣ ଅଧିକାରୀ ଜଣକ ଆହୁରି ବି କହିଛନ୍ତି ଯେ ଡିସେମ୍ବର ୨୦୨୩ ମସିହା ଡିସେମ୍ବର ୩୧ରେ ୱିଙ୍ଗ୍‌ କମାଣ୍ଡର ତାଙ୍କୁ ସେ ନୂଆବର୍ଷ ଉପହାର ପାଇଛନ୍ତି କି ନାହିଁ ପ୍ରଶ୍ନ ପଚାରିଥିଲେ। ଯେତେବେଳେ ସେ ନା କହିଥିଲେ ତ ୱିଙ୍ଗ୍‌ କମାଣ୍ଡର୍‌ ତାଙ୍କ ରୁମ୍‌କୁ ଯାଇ ଉପହାର ଗ୍ରହଣ କରିବାକୁ କହିଥିଲେ। ମହିଳା ଅଧିକାରୀଙ୍କୁ ଉପହାର ଦେବା ଲୋଭ‌ରେ ନିଜ ରୁମ୍‌କୁ ନେଇ ଯାଇଥିବା ବେଳେ  ୱିଙ୍ଗ୍‌ କମାଣ୍ଡର୍‌ଙ୍କ ଘ‌ରେ କେହି ନଥିଲେ। 

ମହିଳା ଅଧିକାରୀ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ୱିଙ୍ଗ୍‌ କମାଣ୍ଡର୍‌ ସେଠା‌ରେ ବଳପୂର୍ବକ ତାଙ୍କ ସହ ଅସଦାଚରଣ କରିଥିଲେ ଓ ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ।