ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ନେଇ ରହସ୍ୟ ଘନେଇଲା

ନୂଆଦିଲ୍ଲୀ : ଆଜି ପାକିସ୍ତାନ ପକ୍ଷରୁ ଭାରତର ସାମରିକ କେନ୍ଦ୍ର ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଭାରତୀୟ ବାୟୁସେନା ସତର୍କ ଥିବାରୁ ପାକିସ୍ତାନର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି । ଏହି ଘଟଣାରେ ପାକିସ୍ତାନର ଗୋଟିଏ ଏଫ-୧୬ ଲଢୁଆ ବିମାନକୁ ମାରି ଖସାଇଦିଆଯାଇଛି । ଏହି ବିମାନଟି ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ପଡିଛି । ତେବେ ଭାରତ ପକ୍ଷରୁ ଗୋଟିଏ ମିଗ୍‌-୨୧ ବିମାନ ଧ୍ୱଂସ ପାଇଯାଇଛି । ଏହାର ପାଇଲଟ ନିଖୋଜ ଅଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ।
କେତେକ ସୁତ୍ରରୁ ମିଳିଥିବା ଖବର ଅନୁସାରେ ବାୟୁସେନା ପାଇଲଟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଏହି ଘୋଷଣା ପରେ ସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ଦେଖାଦେଇଛି । ଗତକାଲି ଭାରତ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ତାଲିମ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । କିନ୍ତୁ ଏହାର ଜବାବରେ ପାକିସ୍ତାନ ପକ୍ଷରୁ ଭାରତର ଏକ ସାମରିକ ପ୍ରତିଷ୍ଠାନ ବ୍ରିଗେଡ ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଛି । ଏହା ଉତ୍ତେଜନାକୁ ଆହୁରି ବଢାଇବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି ।

ସମ୍ବନ୍ଧିତ ଖବର