ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ପାକିସ୍ତାନର କବ୍ଜାରେ ଅଛନ୍ତି । କିନ୍ତୁ ଗତକାଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ଘୋଷଣା କରିବା ପରେ ସାରା ଭାରତବାସୀ ଏବେ ଅଭିନନ୍ଦନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ସମସ୍ତଙ୍କ ମୁହଁରେ ଖୁସୀର ଲହରୀ ଦେଖିବାକୁ ମିଳିଥିବା ବେଳେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ସମସ୍ତେ ପ୍ରସ୍ତୁତ । ତେବେ ଅଭିନନ୍ଦନଙ୍କ ପୂର୍ବରୁ ୧୯୯୯ରେ ହୋଇଥିବା କାର୍ଗିଲ୍ ଯୁଦ୍ଧ ସମୟରେ ପାକିସ୍ତାନ ଫ୍ଲାଇଟ୍ ଲେପ୍ଟନାଣ୍ଟ୍ ନଚିକେତାଙ୍କୁ ବନ୍ଦୀ କରିଥିଲା । ତାଙ୍କୁ ଏ ନେଇ ପଚରାଯିବା ପରେ ସେ ନିଜର ମତ ରଖିଛନ୍ତି ।
ଏକ ସାକ୍ଷାତକାରରେ, "ଅଭିନନ୍ଦନଙ୍କୁ ପାକ୍ ସେନା କବ୍ଜାକୁ ନେବା ଖବର ମୋତେ ଚିନ୍ତିତ କରିଥିଲା । କିନ୍ତୁ ପରେ ସେ ଭାରତ ଫେରୁଥିବାର ଖବର ପାଇଁ ମୁଁ ଆଶ୍ୱସ୍ତ ହେଲି । ଅଭିନନ୍ଦନ ଭାରତ ଫେରି ତୁରନ୍ତ ନିଜ ୟୁନିଟ୍ରେ ଯୋଗ ଦେବେ" ବୋଲି କହିଛନ୍ତି ନଚିକେତା । ଏହା ସହ ଅଭିନନ୍ଦନଙ୍କ ଚା’ ପିିଇବା ଫଟୋକୁ ନେଇ ପାକିସ୍ତାନ ଅଭିନନ୍ଦନଙ୍କ ସହ ଭଲ ବ୍ୟବହାର କରିଥିବ କି ବୋଲି ପ୍ରଶ୍ନ କରାଯିବା ପରେ, "ଜେନେଭା ନିୟମ ଅନୁସାରେ ତାଙ୍କ ସହ ଭଲ ବ୍ୟବହାର କରାଯିବା ଦରକାର । କିନ୍ତୁ ତାଙ୍କ ସହ ସେଠାରେ କିପରି ବ୍ୟବହାର କରାଯାଇଥିଲା, ତାହା ସେ ଆସିବା ପରେ ହିଁ ଜଣା ପଡ଼ିବ ବୋଲି କହିଥିଲେ ଫ୍ଲାଇଟ୍ ଲେପ୍ଟନାଣ୍ଟ ନଚିକେତା ।
ସୂଚନା ମୁତାବକ, ମେ ୨୭, ୧୯୯୯ରେ ଫ୍ଲାଇଟ୍ ଲେପ୍ଟନାଣ୍ଟ ନଚିକେତା ମିଗ୍ ଏୟାରକ୍ରାଫ୍ଟ ଉଡ଼ାଉଥିଲେ । ତାଙ୍କୁ ନିୟନ୍ତ୍ରଣ ରେଖା ପାର୍ କରିବାକୁ ମନା କରା ଯାଇଥିବା ବେଳେ ପାକ୍ ବିମାନ ସହ ଯୁଦ୍ଧ କରିବା ସମୟରେ ତାଙ୍କ ବିମାନର ଇଞ୍ଜିନ୍ ଖରାପ ହୋଇ ଯାଇଥିଲା । ଯାହା ପରେ ସେ ପାରାଚୁଟ୍ ଧରି ବାହରି ଆସିଥିଲେ ମଧ୍ୟ ପାକିସ୍ତାନ ତାଙ୍କୁ କବ୍ଜା କରି ନେଇଥିଲା । ପାକିସ୍ତାନରେ ୮ଦିନ ରହିବା ପରେ ନଚିକେତା ଭାରତ ଫେରିଥିଲେ ।