ଆସନ୍ତା ଦୁଇ ଦଶନ୍ଧିରେ ୩୫୦ ଯୁଦ୍ଧ ବିମାନ ଖରିଦ କରିବ ଭାରତୀୟ ବାୟୁସେନା

 

ନୂଆଦିଲ୍ଲୀ : ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ୩୫୦ଟି ଯୁଦ୍ଧ ବିମାନ ଖରିଦ କରିବାକୁ ଭାରତୀୟ ବାୟୁସେନା ଯୋଜନା କରୁଛି । ଏସବୁ ବିମାନ ମଧ୍ୟରେ ଭାରତରେ ନିର୍ମିତ ଏଲସିଏ ଅନ୍ତର୍ଭୁକ୍ତ ବୋଲି ବାୟୁସେନା ମୁଖ୍ୟ ଆରକେଏସ ଭାଦୁରିଆ କହିଛନ୍ତି ।

ଭାରତୀୟ ବିମାନ କ୍ଷେତ୍ର ଉପରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ଚୀନ ଆଡ଼ୁ ଦେଖାଦେଉଥିବା ବିପଦ ଦୃଷ୍ଟିରୁ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ଭବିଷ୍ୟତର ପ୍ରତିରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଜରୁରୀ ବୋଲି ସେ କହିଛନ୍ତି ।

ଚୀନର ନାମ ନ ନେଇ ସେ କହିଛନ୍ତି ଯେ,  ଆମର ଉତ୍ତରରେ ଥିବା ପଡ଼ୋଶୀକୁ  ନଜରରେ ରଖି ଆମକୁ ସ୍ବଦେଶରେ ହିଁ ଅତ୍ୟାଧୁନିକ ଯୁଦ୍ଧ ଟେକନଲୋଜୀର ବିକାଶ କରିବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଲସିଏ ବା ତେଜସ ଭାରତୀୟ ବିମାନ କ୍ଷେତ୍ରର ଆତ୍ମବିଶ୍ବାସକୁ ବହୁଗୁଣିତ କରିଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ନିଜର ସୋଭିଏତ ଅମଳର ମିଗ ବିମାନଗୁଡ଼ିକୁ ପର୍ୟ୍ୟାୟକ୍ରମେ ସେବାନିବୃତ କରୁଛି । ତେବେ ଏହା ଫଳରେ ବାୟୁସେନାର ସ୍କ୍ବାର୍ଡନ ସଂଖ୍ୟା ହ୍ରାସ ପାଇବ । ସେହି ଅଭାବର ଭରଣା କରିବାକୁ ବାୟୁସେନା ଆଗାମୀ କିଛି ବର୍ଷ ମଧ୍ୟରେ ନୂଆ ଯୁଦ୍ଧ ବିମାନ ଖରିଦ ପାଇଁ ଯୋଜନା କରୁଛି ।

ସମ୍ବନ୍ଧିତ ଖବର