ନୂଆଦିଲ୍ଲୀ : ପାକିସ୍ତାନକୁ କ୍ଷେପଣାସ୍ତ୍ର ନିକ୍ଷେପ ହେବା ଘଟଣା ପଛରେ ଜଣେ ବରିଷ୍ଠ ଭାରତୀୟ ବାୟୁସେନା ଅଧିକାରୀଙ୍କ ତ୍ରୁଟି ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସଂପୃକ୍ତ ବାୟୁସେନା ଅଧିକାରୀ ଜଣେ ଗ୍ରୁପ କ୍ୟାପଟେନ ପାହ୍ୟାର ଅଧିକାରୀ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି ଘଟଣା ସଂପର୍କରେ ତଦନ୍ତ ଏବେ ବି ଜାରି ରହିଥିବାରୁ ଅଧିକ ସୂଚନା ମିଳିପାରିନାହିଁ ।
ଏହି ଅତି ସଂବେଦନଶୀଳ ଘଟଣାର ତଦନ୍ତ କରୁଛନ୍ତି ବାୟୁସେନା ମୁଖ୍ୟାଳୟରେ ଅବସ୍ଥାପିତ ଜଣେ ଏୟାର ଭାଇସ ମାର୍ସାଲ ପାହ୍ୟାର ଅଧିକାରୀ ।
ସୂଚନାଯୋଗ୍ୟ, ଗତ ୯ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର ଏକ କ୍ଷେପଣାସ୍ତ୍ର ସୀମାଠାରୁ ପ୍ରାୟ ୧୨୪ କିଲୋମିଟର ଭିତରକୁ ଯାଇ ପାକିସ୍ତାନର ଖାନେଓ୍ବାଲ ଜିଲ୍ଲାର ମିଆଁ ଚାନୁ ଅଞ୍ଚଳରେ ଯାଇ ପଡ଼ିଥିଲା । ତେବେ ଏହି ଘଟଣାକୁ ନେଇ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାଯାଇଛି । ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି । ତେବେ ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଥିଲା । ପରେ ଏହି ଘଟଣା ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ବୟାନ ଦେଇଥିଲେ ।