ଯୁଦ୍ଧ ବିମାନ ଦୁର୍ଘଟଣା: ମଝି ଆକାଶରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବ ବାୟୁସେନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ; ସୁଖୋଇ-୩୦ ଏବଂ ମିରାଜ-୨୦୦୦; ମଧ୍ୟରେ ଉଡ଼ାଣ କାଳରେ ମଝି ଆକାଶରେ ଧକ୍କା ହୋଇଥିଲା କି ନାହିଁ ତାହାର ଅନୁସନ୍ଧାନ ଭାରତୀୟ ବାୟୁସେନା (ଆଇଏଏଫ୍‌) କରିବ।

ଉଡାଣ ଭରିବା କାଳରେ ଦୁଇଟି ଯୁଦ୍ଧ ବିମାନ ମଧ୍ୟରେ ମଝି ଆକାଶରେ ଧକ୍କା ହୋଇଛି କି ନାହିଁ ତାହା ପ୍ରତିଷ୍ଠା କରିବା ପାଇଁ ଆଇଏଏଫ କୋର୍ଟ ଅନୁସନ୍ଧାନ କରିବ। ସୁଖୋଇ-୩୦ରେ ଦୁଇଜଣ ପାଇଲଟ ଥିବାବେଳେ ମିରାଜ ୨୦୦୦ରେ ଦୁର୍ଘଟଣା ସମୟରେ ଜଣେ ପାଇଲଟ ଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଦୁଇ ଜଣ ପାଇଲଟ ସୁରକ୍ଷିତ ଥିବାବେଳେ ଆଇଏଏଫର ଏକ ହେଲିକପ୍ଟଟର ଶୀଘ୍ର ତୃତୀୟ ପାଇଲଟଙ୍କ ସ୍ଥାନରେ ପହଞ୍ଚିବ ବୋଲି ପ୍ରତିରକ୍ଷା ସୂତ୍ରରୁ ଗଣମାଧ୍ୟକୁ କୁହାଯାଇଛି।

ମଧ୍ୟପ୍ରଦେଶର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ଆଦର୍ଶ କାଟିୟାର ଗଣମାଧ୍ୟମକୁ କହିଛନ୍ତି ଯେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ କହିଛନ୍ତି, ବିମାନଦୁଇଟିର ପରସ୍ପର ମଧ୍ୟରେ ଧକ୍କା ହୋଇଛି କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ଭାରତୀୟ ବାୟୁସେନ କରିଥିବା ଟୁଇଟ୍‌ ଅନୁସାରେ, ଆଜି ସକାଳେ ଗୋଆଲିୟର୍‌ ନିକଟରେ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁଇଟି ନିୟମିତ ତାଲିମ ଅଭିଯାନରେ ଉଡ଼ାଣ ଆରମ୍ଭ କରିଥିଲେ। ଏଥିରେ ଥିବା ୩ଜଣ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର