ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ସେପ୍ଟେମ୍ବର ଶେଷ ସୁଦ୍ଧା ବିଚକ୍ଷଣ ବାଇଲଟ୍ କମାଣ୍ଡର୍ ଅଭିନନ୍ଦନ ଉଡ଼ାଉଥିବା ଯୁଦ୍ଧ ବିମାନ ମିଗ୍-୨୧ ସ୍କ୍ବାଡନ ‘ସୋର୍ଡ ଆର୍ମସ୍’କୁ ସେବା ନିବୃତ୍ତ କରିବାକୁ ସ୍ଥିର କରିଛି।
୨୦୧୯ ମସିହା ଫେବ୍ରୁଆରି ମାସରେ ଅଭିନନ୍ଦନ ବାଲାକୋର୍ଟ ଷ୍ଟ୍ରାଇକ୍ର ଗୋଟାଏ ଦିନ ଭାରତୀୟ ଆକାଶସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ଏଫ୍-୧୬ ବିମାନକୁ ନିଜ ମିଗ୍ ଲଢ଼ୁଆ ବିମାନରେ ଟକ୍କର ଦେଇ ସେ ବେଶ୍ ଚର୍ଚ୍ଚିତ ପାଲଟିଥିଲେ। ସେହି ସମୟରେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଶ୍ରୀନଗରସ୍ଥିତ ‘ସୋର୍ଡ ଆର୍ମସ୍’ ସ୍କ୍ବାର୍ଡନରେ କାର୍ଯ୍ୟ କରୁ୍ଥିଲେ। ଏହା ୫୧ ନମ୍ବର ସ୍କ୍ବାର୍ଡନ ଭାବେ ବି ଜଣାଯାଏ। ଏଥିସହ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ଥିବା ଅନ୍ୟ ୩ଟି ମିଗ୍-୨୧ ସ୍କ୍ବାର୍ଡନକୁ ମଧ୍ୟ ସେବା ନିବୃତ୍ତ କରାଯିବ ବୋଲି ବାୟୁସେନା ପକ୍ଷରୁ ପ୍ରକାଶ।
୪ ଦଶନ୍ଧି ପୂର୍ବରୁ ମିଗ୍-୨୧ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାରେ ସାମିଲ୍ କରାଯାଇଥିଲା। ଏଥିରୁ ଅନେକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ନଷ୍ଟ ହୋଇଯାଇଥିଲା।
ବିମାନର ବ୍ୟବହାର୍ଯ୍ୟ ସମୟସୀମା ଗଡ଼ି ଯାଉଥିବାରୁ ତାହାକୁ ଅବସର ଦେବାକୁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ଏହି ପୁରୁଣା ବିମାନ ଅବସର ନେବା ପରେ ତୁରନ୍ତ ନୂତନ ବିମାନ ବାୟୁସେନାରେ ସାମି୍ଲ୍ କରାଯିବାର ବନ୍ଦୋବସ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ଫେବ୍ରୁଆରିରେ ଅଭିନନ୍ଦନ ମିଗ୍-୨୧ରେ ଯାଇ ବାଲାକୋଟ୍ ଆକାଶରେ ପାକିସ୍ତାନ ଲଢୁଆ ବିମାନର ‘ଏଫ୍-୧୬’ ଗୁଳି ମାରି ଖସାଇ ଦେଇଥିଲେ।
‘ଏଫ୍-୧୬’ ଲଢୁଆ ବିମାନକୁ ଗୁଳି ମାରି ଖସାଇବାରେ ଏକମାତ୍ର ‘ମିଗ୍-୨୧’ ପାଇଲଟ୍ ହେଉଛନ୍ତି ଅଭିନନ୍ଦନ। ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍ କ୍ୟାପ୍ଟେନ୍’ ପାହ୍ୟାକୁ ଉନ୍ନୀତ କରିଥିଲା।