ଶତ୍ରୁକୁ ମିଳିବ କଡ଼ା ଜବାବ: ଋଷଠାରୁ ୭୦,୦୦୦ ଏକେ-୧୦୩ ରାଇଫଲ କିଣିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଶତ୍ରୁକୁ ମିଳିବ କଡ଼ା ଜବାବ | ଏବେ ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା | ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ବାୟୁସେନା ଋଷଠାରୁ ୭୦,୦୦୦  ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ । ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବାକୁ ଯାଉଛି ।

ଜାତୀୟ ଗଣମାଧ୍ୟମ ମୁତାବକ ଏବେ ଭାରତୀୟ ସେନାକୁ ପାଖାପାଖି ୧.୫ ଲକ୍ଷ ନୂଆ ରାଇଫଲର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଭାରତ ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏନେଇ ଜରୁରୀକାଳୀନ ବ୍ୟବସ୍ଥା ମାଧ୍ୟମରେ ପୂର୍ବ ସପ୍ତାହରେ ୩୦୦ କୋଟି ଟଙ୍କାର ଚୁକ୍ତି ଋଷ ସହିତ କରାଯାଇଛି । ଏହି ରାଇଫଲ ଆସିବା ପରେ ଏହାକୁ ପ୍ରଥମେ ଜମ୍ମୁ-କଶ୍ମୀରର ଶ୍ରୀନଗର ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରୁଥିବା ଯବାନମାନଙ୍କୁ ଯୋଗାଇ ଦିଆଯିବ । ଅନ୍ୟପଟେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ରାଇଫଲ ଏକେ -୨୦୩ ପାଇଁ ବି ଭାରତ ଋଷ ସହିତ ଚୁକ୍ତି କରିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଋଷ ସହିତ ଉତ୍ତରପ୍ରଦେଶରେ ଥିବା ଅଡିନାନ୍ସ ଫ୍ୟାକ୍ଟ୍ରିର କୋରବା ପ୍ଲାଣ୍ଟ ୭.୫ ଲକ୍ଷ ଏକେ-୨୦୩ ରାଇଫଲ ତିଆରି କରିବାକୁ ଚୁକ୍ତି କରିଥିଲା । ହେଲେ ଏହି ପ୍ଲାଣ୍ଟ ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହିଁ । ଏହି କାରଣରୁ ଭାରତ ଏବେ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଋଷ ସହିତ ଚୁକ୍ତି କରିଛି । ଏହା ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ଭାରତ ଆମେରିକାଠାରୁ ୧.୪୪ ଲକ୍ଷ ଏସଆଇଜି ରାଇଫଲ କିଣିଥିଲା ।

ସମ୍ବନ୍ଧିତ ଖବର