ବିରୋଧ ସତ୍ତ୍ବେ ଆସନ୍ତାକାଲିଠାରୁ ବାୟୁସେନାରେ ଆରମ୍ଭ ହେବ ‘ଅଗ୍ନିବୀର’ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ। ଆସନ୍ତାକାଲିଠାରୁ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଜୁନ ୧୮ରେ ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍‌ ଚୌଧାରୀ କହିଥିଲେ, ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମା ୨୩କୁ ବୃଦ୍ଧି ପାଇଛି ଏବଂ ଏହି ଯୁଗାନ୍ତକାରୀ ନିଯୁକ୍ତି ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଯୁବଗୋଷ୍ଠୀଙ୍କୁ ଉପକୃତ କରିବା ସହ ସେମାନଙ୍କ ସୁଦୃଢ଼ ଭବିଷ୍ୟତ ପାଇଁ ରାସ୍ତା ଖୋଲିଦେବ। ଭାରତୀୟ ବାୟୁସେନାରେ ଏହି ଯୋଜନା ଅଧୀନରେ ନିଯୁକ୍ତି ଜୁନ୍‌ ୨୪ରୁ ଆରମ୍ଭ ହେବ। ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସା ବଢ଼ିଥିବାବେଳେ ବାୟୁସେନା ମୁଖ୍ୟ ଏହି ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, କରୋନା ପାଇଁ ସେନାରେ ନିଯୁକ୍ତି ଗତ ୨ ବର୍ଷ ହେବ ବନ୍ଦ ଥିଲା। ୨୦୧୯ -୨୦୨୦ରେ ଭାରତୀୟ ସ୍ଥଳ ସେନାରେ ଯବାନଙ୍କୁ ନିଯୁକ୍ତି ମିଳିଥିଲା କିନ୍ତୁ ଏହା ପରଠାରୁ କୌଣସି ନୂଆ ନିଯୁକ୍ତି ହୋଇନି। ‘ଅଗ୍ନିପଥ’ ‌ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସା ବଢ଼ିଥିବା ବେଳେ ଏହି ଯୋଜନାକୁ ଯଥାସମ୍ଭବ ତ୍ବରାନ୍ବିତ କରିବା ସେନା ବାହିନୀରେ ତତ୍ପରତା ଦେଖିବାକୁ ମିଳିଛି।

‘ଅଗ୍ନିପଥ’ ଯୋଜନାରେ ଅଗ୍ନିବୀରଙ୍କୁ ତାଲିମ ପ୍ରକ୍ରିୟା ଆଗାମୀ ଡିସେମ୍ବରରୁ ଆରମ୍ଭ ହେବ। ଏ ନେଇ ସ୍ଥଳସେନା ପକ୍ଷରୁ ଆନୁଷ୍ଠାନିକ ବିବୃତି ଜାରି ହୋଇଥିଲା। ଅଗ୍ନିବୀରଙ୍କ ନିଯୁକ୍ତି ଓ ସକ୍ରିୟ ସେବା ୨୦୨୩ ମଧ୍ୟ ଭାଗରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର