୨୭ରେ କାର୍ଯ୍ୟକ୍ଷମ ହେବ ଭାରତୀୟ ବାୟୁସେନାର ୧୮-ନମ୍ବର ସ୍କ୍ଵାର୍ଡନ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ଭାରତୀୟ ବାୟୁସେନା ନିଜର ୧୮ ନମ୍ବର ସ୍କ୍ଵାର୍ଡନକୁ କୋଏମ୍ବାଟୁରସ୍ଥିତ ସୁଲୁର ଏୟାରଫୋର୍ସ ଷ୍ଟେସନଠାରେ କାର୍ଯ୍ୟକ୍ଷମ କରିବ । ବାୟୁସେନା ମୁଖ୍ୟ ଏୟାର ଚିଫମାର୍ସାଲ ଆରକେଏସ ଭାଦୁରିଆ ଏହାର ଉଦଘାଟନ କରିବେ ।
୧୯୬୫ରେ ସ୍ଥାପିତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ଵାର୍ଡନର ନାଁ ରଖାଯାଇଛି ଫ୍ଲାଇଙ୍ଗ ବୁଲେଟ୍ସ । ଏହି ସ୍କ୍ଵାର୍ଡନରେ ଏଲସିଏ (ଲାଇଟ କମ୍ବାଟ ଏୟାରକ୍ରାଫ୍ଟ) ରହିିବ । ଏହି ସ୍କ୍ଵାର୍ଡନ ପୂର୍ବରୁ ମିଗ୍‌ ୨୭ ଲଢୁଆ ବିମାନ ଉଡ଼ାଉଥିଲା । ମିଗ୨୭ର ଅବସର ପରେ ଏଥିରେ ଏଲସିଏ ସାମିଲ କରାଯାଇଛି ।
ଭାରତୀୟ ବାୟୁସେନାର ମୋଟ ସ୍କ୍ଵାର୍ଡନ କ୍ଷମତା ହେଉଛି ୪୨ । କିନ୍ତୁ ବାୟୁସେନା ପାଖରେ ଏବେ ୩୩ଟି ସ୍କାର୍ଡନ ଲଢୁଆ ବିମାନ ରହିଛି । ଗୋଟିଏ ସ୍କ୍ଵାର୍ଡନରେ ୧୬ରୁ ୧୮ଟି ଲଢୁଆ ବିମାନ ରହିଥାଏ । ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସରକାର ଏବେ ଫ୍ରାନ୍ସରୁ ୩୬ଟି ( ୨ ସ୍କ୍ଵାର୍ଡନ) ରାଫେଲ ବିମାନ ଖରିଦ କରିବାକୁ ଚୁକ୍ତି କରିଛନ୍ତି । ଆସନ୍ତା ଜୁଲାଇମାସରୁ ଏହି ବିମାନଗୁଡ଼ିକର ଯୋଗାଣ ଆରମ୍ଭ ହେବ ଓ ୨୦୨୨ ସୁଦ୍ଧା ସମସ୍ତ ୩୬ଟି ବିମାନ ଭାରତୀୟ ବାୟୁସେନା ହାତକୁ ଆସିବ । କିନ୍ତୁ ଏହି ବିମାନଗୁଡ଼ିକ ଆସିବା ପରେ ମଧ୍ୟ ଆହୁରି ୭ଟି ସ୍କ୍ଵାର୍ଡନ ଲଢୁଆ ବିମାନ ଅଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଭାରତ ୨୦୦ରୁ ଅଧିକ ଏଲସିଏ ଓ ୧୦୦ରୁ ଅଧିକ ମଲଟିରୋଲ ଲଢୁଆ ବିମାନ ଖରିଦ କରିବାକୁ ଯୋଜନା କରୁଛି ।

ସମ୍ବନ୍ଧିତ ଖବର