ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଇଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆସନ୍ତାକାଲି ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି େସ ଘୋଷଣା କରିଛନ୍ତି। ଶାନ୍ତି ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଏହି ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତ କହିଛି ଯେ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ଭାରତୀୟ ମିଗ୍ ପାଇଲଟଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଛି। ଏହାସହିତ ଭାରତ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କଲେ ଏହାର ମୁହଁତୋଡ଼ ଜବାବ ଦିଆଯିବ। କେବଳ ଏତିକି ନୁହେଁ, ଭାରତ ବିରୋଧରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀଙ୍କୁ ମଧ୍ୟ ଧ୍ବଂସ କରାଯିବ। ଏଭଳି କାର୍ଯ୍ୟାନୁଷ୍ଠାନରୁ ଓହରିବାର ପ୍ରଶ୍ନ ଉଠୁନାହିଁ।
ଗତକାଲି ପାକିସ୍ତାନ ଯୁଦ୍ଧ ବିମାନ ଭାରତୀୟ ଅଂଚଳରେ ଆକ୍ରମଣ ପାଇଁ ଉଦ୍ୟମ କରିବା ବେଳେ ଅଭିନନ୍ଦନ ଏକ ମିଗ୍ ୨୧ ଜେଟ୍ରେ ଏହାର ମୁକାବିଲା କରିଥିଲେ। ପାକିସ୍ତାନର ଏକ ଏଫ୍ ୧୬ ଯୁଦ୍ଧ ବିମାନକୁ ଗୁଳି କରି ସେ ଖସାଇ ଦେଇଥିେଲ। ଅଭିନନ୍ଦନଙ୍କ ବିମାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା ଏବଂ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିନେଇଥିଲେ। ଏହାକୁ କେନ୍ଦ୍ର କରି ଉତ୍ତେଜନା ଭୟଙ୍କର ରୂପ ନେଇଥିବା ବେଳେ ଗତ ରାତି ତମାମ ଭୟରେ ପାକିସ୍ତାନ ଅନେକ ସତର୍କତା ପଦକ୍ଷେପ ଗ୍ରହଣ କରିଥିଲା। ଶାନ୍ତି ଆଲୋଚନା ପାଇଁ ଇମ୍ରାନ୍ ପ୍ରସ୍ତାବ ଦେବା ସହ ପାକିସ୍ତାନରେ ସମସ୍ତ ବିମାନ ଚଳାଚଳ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ଭାରତ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆଶଙ୍କା କରି ପାକିସ୍ତାନ ସେନା ସର୍ବାଧିକ ସତର୍କ ରହିଥିଲା ଏବଂ ଦେଶବାସୀଙ୍କୁ ମଧ୍ୟ ଆବଶ୍ୟକ ସତର୍କତା ପଦକ୍ଷେପ ଅବଲମ୍ବନ କରିବାକୁ କୁହାଯାଇଥିଲା। ଇମ୍ରାନ୍ ନିଜେ ସଂସଦରେ ଏ ସଂପର୍କରେ ସୂଚନା ଦେଇଥିଲେ। ଗତକାଲି ଏସଂପର୍କରେ େସ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତା କରିବାକୁ ଉଦ୍ୟମ କରିଥିବା କହିଥିଲେ।
ଆଜି ପାକ୍ ସଂସଦରେ ଉଦ୍ବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସ୍ଥିତି ସ୍ବାଭାବିକ କରିବା ପାଇଁ ତାଙ୍କ ସରକାର କେତେକ ଜରୁରୀ ପଦକ୍ଷେପ ନେଉଛନ୍ତି। ବନ୍ଦୀ ଭାରତୀୟ ପାଇଲଟ୍ଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ ଏବଂ କରତାର୍ପୁର କରିଡରକୁ ଖୋଲି ଦିଆଯିବ। ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ଗସ୍ତକୁ ଉଲ୍ଲେଖ କରି ଇମ୍ରାନ କହିଥିଲେ ଯେ ଏଭଳି ସମୟରେ କୌଣସି ରାଷ୍ଟ୍ର ପୁଲୱାମା ଭଳି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିପାରିବ ନାହିଁ। ପାକିସ୍ତାନ ଏଭଳି କରି କ’ଣ ପାଇବ ବୋଲି ଇମ୍ରାନ କହିଥିଲେ। ଭାରତ ପଠାଇଥିବା ପୁଲୱାମା ସଂକ୍ରାନ୍ତ ଦସ୍ତାବିଜ ଆଜି ପାକିସ୍ତାନ ପହଞ୍ଚିଛି, କିନ୍ତୁ ଭାରତ ଦୁଇ ଦିନ ତଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି ବୋଲି ଇମ୍ରାନ କହିଥିଲେ। ପାକିସ୍ତାନ ସେନାର ଶକ୍ତିକୁ ନେଇ କାହାର କିଛି ସନ୍ଦେହ ରହିବା ଉଚିତ ନୁହେଁ ଏବଂ ଆମେ ଗତକାଲି ଭାରତର ୨ଟି ଜେଟ୍କୁ ଖସାଇ ଦେଇଛୁ ବୋଲି ଇମ୍ରାନ୍ କହିଥିଲେ। ଏବେ ଲାଗି ରହିଥିବା ଉତ୍ତେଜନା ହ୍ରସା ପାଇଁ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ନିଷ୍ଠାର ସହ ଉଦ୍ୟମ କରିବା ଉଚିତ ବୋଲି ସେ କହିଥିଲେ।
ସୂଚନାେଯାଗ୍ୟ ଯେ ପାଇଲଟଙ୍କୁ ଧରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ଅାଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ମୋଦୀ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ମୂଲଚାଲ କରାଯିବ ନାହିଁ। ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ଭାରତୀୟ ପାଇଲଟଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ମୁକ୍ତ କରୁ।
ୱାଘାରେ ପାଛୋଟି ନେବ ବାୟୁସେନା
ନୂଆଦିଲ୍ଲୀ : ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆସନ୍ତାକାଲି ମୁକ୍ତ ହୋଇ ଭାରତ ଫେରିବେ। ଅଭିନନ୍ଦନଙ୍କୁ ୱାଘା ସୀମାରେ ଭାରତୀୟ ବାୟୁସେନାର ଏକ ପ୍ରତିନିଧି ଦଳ ସ୍ବାଗତ କରିବେ। ଆଜି ରାତିରେ ଏହି ସୂଚନା ଦିଆଯାଇଛି। କୌଣସି ରାଜନୈତିକ ଦଳଙ୍କୁ ଏହି ସୁଯୋଗ ମିଳିବ ନାହିଁ।