ବାୟୁସେନାର ସି-୧୭ ବିମାନରେ ଦିଲ୍ଲୀ ଅଣାଯିବ ଅଓ୍ଵନ୍ତିପୋରା ଆକ୍ରମଣରେ ସହିଦମାନଙ୍କ ପାର୍ଥିବ ଅବଶେଷ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଠାରେ ହୋଇଥିବା ଅନ୍ୟତମ ସାଙ୍ଘାତିକ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ସିଆର୍‌ପିଏଫ୍‌ ଯବାନଙ୍କର ପାର୍ଥିବ ଅବଶେଷ ଆଣିବାକୁ ଭାରତୀୟ ବାୟୁସେନା ତା’ର ଗ୍ଲୋବ୍‌ମାଷ୍ଟର୍‌ ପରିବହନ ବିମାନ ସି-୧୭କୁ ଶ୍ରୀନଗର ପଠାଇବ।

କିଛି କ୍ଷଣ ମଧ୍ୟରେ ହିନ୍ଦୋନ୍‌ ବିମାନଘାଟିରୁ ଭାରତୀୟ ବାୟୁସେନାର ସି-୧୭ ବିମାନ ଶ୍ରୀନଗର ଅଭିମୁଖେ ବାହାରୁଛି।

ସହିଦ ଯବାନମାନଙ୍କ ପାର୍ଥିବ ଅବଶେଷ ପ୍ରଥମେ ଦିଲ୍ଲୀକୁ ଅଣାଯାଇ ଶେଷକୃତ୍ୟ ନିମନ୍ତେ ସେଠାରୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇ ଦିଆଯିବ।

ସହିଦମାନଙ୍କ ପାର୍ଥିବ ଶରୀର ଜାତୀୟ ରାଜଧାନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀବୃନ୍ଦ ଏବଂ ବଡ଼ ରାଜନେତାମାନେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।

ସହିଦ ବୀରମାନଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତିନି ସେନାର ମୁଖ୍ୟମାନେ ପୁଷ୍ପବଳୟ ଅର୍ପଣ କରିବେ।

ଏହି ଘଟନାକୁ ନିନ୍ଦା କରି ଜମ୍ମୁ ଓ କଶ୍ମୀରର ବହୁ ସଂଖ୍ୟକ ଯୁବକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଭୋପାଳରେ ବିଜେପି କର୍ମୀମାନେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶରେ ମଧ୍ୟ ପ୍ରତିବାଦକାରୀମାନେ ଏହି ଘଟନାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର